
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ସଂଯୋଜନ ଭାବେ ଏସସିଟିଏସ୍ ପ୍ରଡକ୍ସନର ପ୍ରଥମ ଅବଦାନ ମା’ ମାଟିର କଥା ଆଧାରିତ ଚଳଚ୍ଚିତ୍ର “ଜଙ୍ଗଲ ଜଲୁଛେ” ଆସନ୍ତା ୨୨ ଜୁନ ୨୦୨୬ ତାରିଖରେ ରାଉରକେଲା ସ୍ଥିତ କ୍ରସ ମଲର ସିନେ କାର୍ଣ୍ଣିଭାଲ ଠାରେ ଅପରାହ୍ନ ୨.୩୦ ଘଟିକାରେ ପ୍ରଦର୍ଶିତ ହେବ । ମା’, ମାଟି, ଜଙ୍ଗଲ ଓ ମଣିଷର ସମ୍ପର୍କକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ପ୍ରତି ଦର୍ଶକମାନଙ୍କ ମଧ୍ୟରେ ଏବେଠାରୁ ବେଶ ଉତ୍ସାହ ଦେଖିବାକୁ ମିଳୁଛି । ଏନେଇ ଆଜି ସେକ୍ଟର ୧୫ ରାଧାକୃଷ୍ଣ ମନ୍ଦିର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ଉପଦେଷ୍ଟା ହରିହର ରାଉତରାୟ, ସିନେମାର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ, ଏଚ୍ଏଫ୍ଆଇର ଅଧ୍ୟକ୍ଷ ସୁରେଶ କୁମାର ନନ୍ଦ, ସଭାପତି ଅମିତ ମାଇତି ମହାନ୍ତି, କାର୍ଯ୍ୟକାରୀ ସଭାପତି ରାକେଶ ସିଂ ଓ ମିଡିଆ ପ୍ରଭାରୀ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ, ନୃତ୍ୟ ନିର୍ଦ୍ଦେଶନା ଏବଂ ପରିଚାଳନା ଦାୟିତ୍ୱ ତୁଳାଇଛନ୍ତି ବିଶିଷ୍ଟ ଚଳଚ୍ଚିତ୍ରକାର ସରୋଜ କୁମାର ଭୂୟାଁ । ଏହି ଚଳଚ୍ଚିତ୍ରର ପ୍ରଯୋଜିକା ନିବେଦିତା ନାୟକ ଓ ସହ-ପ୍ରଯୋଜିକା ମୀନା ମହାରଣା ଥିବାବେଳେ, ଧାରଣା ଓ ପରିକଳ୍ପନା କରିଛନ୍ତି ଗୋରେକନାଥ ସାହୁ । ସଂଳାପ ରଚନା କରିଛନ୍ତି ଗୋରେକନାଥ ସାହୁ ଏବଂ ନିବେଦିତା ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି କୁମାର ଲବ, ସମ୍ପାଦନା କରିଛନ୍ତି ମୁନ୍ନା ମୋଦି, ଚିତ୍ରଗ୍ରହଣରେ ରହିଛନ୍ତି ନିତୁ । ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ଭୁବନେଶ୍ୱରସ୍ଥ ପ୍ରସାଦ କଳିଙ୍ଗ ଲ୍ୟାବରେ ସମ୍ପନ୍ନ ହୋଇଥିବାବେଳେ ଭିଡିଓଗ୍ରାଫି କରିଛନ୍ତି ରାଜେଶ ରମଣ । ଏହି ଚଳଚ୍ଚିତ୍ରରେ ଅଶ୍ରୁମୋଚନ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ବିରେନ୍ ମିଶ୍ର, ନୈନା ଦାସ, ହାସ୍ୟ ଅଭିନେତା ବିନ୍ଦୁ, ଗୋରେଖନାଥ ସାହୁ, ସରୋଜ ବେହେରା ପ୍ରମୁଖ ଅଭିନୟ କରିଛନ୍ତି । ଏଠାରେ ଏହି ଚଳଚ୍ଚିତ୍ରର ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ହିନ୍ଦୁସ୍ଥାନ ଫେଡେରେସନ ଅଫ୍ ଇଣ୍ଡିଆର ସହଯୋଗରେ ଆୟୋଜନ କରାଯାଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିଥି ଭାବେ ବିରଞ୍ଚିନାରାୟଣ ପଟ୍ଟନାୟକ, ଅବିନାଶ ପ୍ରଧାନ, ଜୟନ୍ତୀ ଦାସ, ଶ୍ରୀନିବାସ ପ୍ରଧାନ, ସୁଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲାବେଳେ ଟିକିନା ଦାସ, କବିତା ବିନ୍ଧାଣି, ଅମ୍ବିକା ପରିଡ଼ା, ସୁସ୍ମିତା ପରିଡ଼ା,ଅଜୟ ଚୈ।ଧୁରୀ, ଶମ୍ବୁନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସରୋଜ କୁମାର ଭୂୟାଁ କହିଛନ୍ତି ଯେ, “ଜଙ୍ଗଲ ଜଲୁଛେ” କେବଳ ଏକ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ନୁହେଁ, ବରଂ ସମାଜ ପାଇଁ ଏକ ଶକ୍ତିଶାଳୀ ସଚେତନତାର ବାର୍ତ୍ତା ।ମା’, ମାଟି, ଜଙ୍ଗଲ ଓ ମଣିଷର ଅବିଚ୍ଛିନ୍ନ ସମ୍ପର୍କକୁ ଏହି ଚଳଚ୍ଚିତ୍ରରେ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି । ପ୍ରକୃତି ସୁରକ୍ଷା, ପରିବେଶ ସଚେତନତା, ସାମାଜିକ ମୂଲ୍ୟବୋଧ, ମାନବିକତା, ସଂସ୍କୃତି ଓ ଐତିହ୍ୟର ଏକ ଚମତ୍କାର ସମନ୍ୱୟ ଦର୍ଶକମାନେ ଏହି ସିନେମାରେ ଦେଖିବାକୁ ପାଇବେ । ଏହା ଦର୍ଶକଙ୍କୁ କେବଳ ଭାବବିହ୍ୱଳ କରିବ ନୁହେଁ, ବରଂ ସମାଜ ଓ ପରିବେଶ ପ୍ରତି ନିଜର ଦାୟିତ୍ୱ ବିଷୟରେ ନୂତନ ଭାବନା ସୃଷ୍ଟି କରିବ । ଏକ ଭାବପ୍ରବଣ, ଚିନ୍ତନଶୀଳ, ଶିକ୍ଷଣୀୟ ଓ ମନୋମୁଗ୍ଧକର ଅନୁଭୂତି ସହିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ସମସ୍ତ ସିନେପ୍ରେମୀଙ୍କୁ ଏହି ଚଳଚ୍ଚିତ୍ର ଦେଖି ଏହାର ସକାରାତ୍ମକ ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରକୁ ପହଞ୍ଚାଇବା ପାଇଁ ସେ ଆହ୍ୱାନ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଏଚ୍ଏଫ୍ଆଇ ପରିବାରର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ସମର୍ଥନରେ ଆଜିର କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା ।