ଅବାଧ ଓ ନିରପେକ୍ଷ ନିର୍ବାଚନ କରାଯିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ପରତା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ୧୩ଟି ବିଧାନସଭା ଆସନ ଏବଂ ଦୁଇଟି ଲୋକସଭା ଆସନ ଯଥା ବ୍ରହ୍ମପୁର ଓ ଆସ୍କା ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସାଧାରଣ ନିର୍ବାଚନ-୨୦୨୪ ପାଇଁ ତାରିଖ ଘୋଷଣା ଏବଂ ଆଚରଣ ବିଧି ଲାଗୁ ହୋଇଯାଇଛି । ଏହା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ନିର୍ବାଚନ ପାଇଁ ସ୍ଵତନ୍ତ୍ର ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ କରାଯିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଗୁରୁତ୍ୱାରୋପ କରିଛନ୍ତି । ଏନେଇ ଗତକାଲି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡ଼ା ଆଲୋଚନା କରିଛନ୍ତି । କିଭଳି ନିର୍ବାଚନ ଅବାଧ ଓ ନିରପେକ୍ଷ ହେବ ସେ ନେଇ ଯଥେଷ୍ଟ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାପାଳ ଏକ ଖବରଦାତା ସମ୍ମିଳନୀ ଡ଼କାଇଥିଲେ । ଜିଲ୍ଲାପାଳ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଭାବେ ଗଣମାଧ୍ୟମ ପ୍ରତିନିଧିଙ୍କୁ ତଥ୍ୟ ସମ୍ବଳିତ ସୂଚନା ଦେଇଛନ୍ତି । ନିର୍ବାଚନ ଆଚରଣବିଧି ଲାଗୁ ହୋଇଯାଇ ଥିବାରୁ ଜିଲ୍ଲାର ସମସ୍ତ ସ୍ଥାନରୁ ୪୮ ଘଣ୍ଟା ମଧ୍ୟରେ ଦଳୀୟ ବ୍ୟାନର, ପୋଷ୍ଟର, ହୋର୍ଡିଙ୍ଗ ଆଦି ଜିଲ୍ଲା ହେଡ୍-କ୍ୱାଟର୍, ସମଗ୍ର ସଦର ଦାପ୍ତରାଞ୍ଚଳ ସମେତ ବିଭିନ୍ନ ସ୍ଥାନ ଓ ଅଞ୍ଚଳରୁ ଅଳିଆ ସ୍ୱରୂପ ହଟାଇ ଦିଆଯାଇଛି ଆଉ ସବୁ ସ୍ଥାନରୁ ଦୁଇ/ତିନି ଦିନ ମଧ୍ୟରେ ସବୁ ସଫା କରିଦିଆଯିବ ବୋଲି ଜିଲ୍ଲାପାଳ ସୂଚାଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୯ ଲକ୍ଷ ୭୧ ହଜାର ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ପୁରୁଷ ଭୋଟର୍ ସଂଖ୍ୟା ୧୫,୩୧୬୬୦ ଥିବାବେଳେ ୧୪୩୯୨୮୬ ମହିଳା ଭୋଟର ଅଛନ୍ତି । ତୃତୀୟ ଲିଙ୍ଗ ୨୮୧ ଏବଂ ଯୁବ ଭୋଟର ୬୫୦୮୦ ରହିଛନ୍ତି । ଭୋଟ ଗ୍ରହଣ ଲାଗି ୩୦୭୭ଟି ବୁଥ୍ କେନ୍ଦ୍ର ବ୍ୟବସ୍ଥାପିତ ହୋଇଛି । ୪୨୪ ସଖି ବୁଥ କରାଯାଇଛି । ୨୬ ମହିଳା ଲିଡ ବୁଥ୍ ଏବଂ ୩୯ ଯୁବ ବୁଥ୍ ଏବଂ ୧୩ଟି ଦିବ୍ୟାଙ୍ଗମାନଙ୍କ ପାଇଁ ବୁଥ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ । ପ୍ରାର୍ଥୀମାନେ “ସୁବିଧା” ନାମକ ଡିଜିଟାଲ ଆପ୍ ଜରିଆରେ ପ୍ରାର୍ଥୀପତ୍ର ଦାଖଲ କରିବା ଏବଂ ସଭା ସମିତି ଆୟୋଜନ କରିବା ଅନୁମତି ପାଇବାର ବ୍ୟବସ୍ଥା କରାଯାଇଛି । ୮୫ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷ୍ୟ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଘରେ ରହି ଭୋଟ ଦେଇ ପାରିବା ଭଳି ବନ୍ଦୋବସ୍ତ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି କୁହାଯାଇଛି । ଭୋଟ ଗ୍ରହଣ ପାଇଁ ୨୨ ହଜାର ୧୫୨ ପୋଲିଙ୍ଗ ଅଫିସର ନିଯୁକ୍ତ ପାଇଛନ୍ତି । ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଖର୍ଚ୍ଚ ମନିଟରିଙ୍ଗ ଟିମ୍ ଗଠନ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ଅନୁପାଳନ ପୂର୍ବକ ୪୩ ଗୋଟି ଫ୍ଲାଇଙ୍ଗ ସ୍କୁଆର୍ଡ, ୪୩ ଗୋଟି ଷ୍ଟାଟିକ ସର୍ଭେଲାନ୍ସ ଟିମ୍ ଓ ୩୯ ଗୋଟି ଭିଡିଓ ସର୍ଭେଲାନ୍ସ ଟିମ୍, ୧୯ ଗୋଟି ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ପରିଡ଼ା ରବିବାର ଖବରଦାତା ସମ୍ମିଳନୀରେ କହିଛନ୍ତି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ଉପସ୍ଥିତିରେ ଏହି ମିଡ଼ିଆ କନଫରେନ୍ସ ଜିଲ୍ଲାପାଳଙ୍କ ନିଜସ୍ଵ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

three × two =