ସୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ପ୍ରଧାନ ଶିକ୍ଷକ ନିଳମ୍ବିତ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ସୋଲ୍ ଗ୍ରାମରେ ଥିବା ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପରେ ପ୍ରଧାନ ଶିକ୍ଷକଙ୍କୁ ନିଳମ୍ବିତ କରାଯାଇଛି । ମିଳିଥିବା ସୂଚନା ମୁତାବକ ଗତ ମାର୍ଚ୍ଚ ମାସ ୧୧ ତାରିଖ ସକାଳ ସମୟରେ ପ୍ରଧାନ ଶିକ୍ଷକ ଅମର କୁମାର୍ ସିଂ ହଷ୍ଟେଲର ୧୪ ଜଣ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଫଳରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରର ମୁଣ୍ଡ ଫାଟିଯାଇଥିଲା ଓ ଅନ୍ୟ ୧୩ ଜଣ ଛାତ୍ର ଆହତ ହୋଇଥିଲେ । ଘଟଣା ସଂପର୍କରେ ସ୍କୁଲ ସେକ୍ରେଟାରୀ ଜାଣିବା ପରେ ସି.ଆର୍.ସି.ସିଙ୍କୁ ଜଣାଇଥିଲେ ଫଳରେ ସି.ଆର୍.ସି.ସି ତୁରନ୍ତ ସ୍କୁଲକୁ ଯାଇ ଘଟଣାର ତଦନ୍ତ କରି ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଅନ୍ୟପଟେ ପ୍ରଧାନ ଶିକ୍ଷକ ଜଣକ ସ୍ଥାନୀୟ ସରପଞ୍ଚ ଏବଂ ଅଭିଭାବକମାନଙ୍କୁ ଡକାଇ ଏକ ବୈଠକ କରି ଘଟାଣାକୁ ଚପାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏ.ବି.ଇ.ଓ ଗୁରୁଣ୍ଡିଆଙ୍କୁ ସୋଲ ଜନତା ୟୁପି ସ୍କୁଲକୁ ପଠାଇ ଘଟଣାର ସଠିକ୍‌ ତଦନ୍ତ କରିବାକୁ କହିଥିଲେ । ତେବେ ଏ.ବି.ଇ.ଓ ତାଙ୍କ ତଦନ୍ତ ରିପୋର୍ଟ ଦେବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.