jayashree

ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ରାକ୍ଷୀବନ୍ଧନ – ସ୍ନେହ ଓ ମାନବିକତାର ଅନନ୍ୟ ନିଦର୍ଶନ

ରାଉରକେଲା, (ସସ୍ମିତା ପ୍ରଧାନ) : ରକ୍ଷାବନ୍ଧନ କେବଳ ଭାଇ-ଭଉଣୀର ପର୍ବ ନୁହେଁ, ଏହା ସ୍ନେହ, ବିଶ୍ୱାସ, କର୍ତ୍ତବ୍ୟ ଓ ମାନବିକତାର ପବିତ୍ର ବନ୍ଧନ । ଏହି ଭାବନାକୁ ନେଇ ରାଉରକେଲା ସ୍ୱତନ୍ତ୍ର କାରାଗୃହରେ ଏକ ନିଆରା ରକ୍ଷାବନ୍ଧନ ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁଙ୍କ ପ୍ରେରଣାରେ ପରିଚାଳିତ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି, ରାଉରକେଲା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ସମୀର ପଟ୍ଟନାୟକ, ବିଶ୍ୱଜିତ ସରକାର ଓ ଶ୍ରୀମତୀ ପ୍ରୀତି ବିଶ୍ୱକର୍ମାଙ୍କ ତତ୍ୱାବଧାନରେ ସମିତିର ଭଉଣୀମାନେ ପ୍ରାୟ ୩୦୦ ଜଣ ଅନ୍ତେବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ସ୍ନେହ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଅନ୍ତେବାସୀଙ୍କ ପାଇଁ ସତ୍‌ସଙ୍ଗ, ଭଜନ ଓ ଆଧ୍ୟାତ୍ମିକ ଚିନ୍ତନର ଆୟୋଜନ ହୋଇଥିଲା । ସଦାଚାର, ସଂଯମ, ସକାରାତ୍ମକ ଚିନ୍ତନ ଓ ଆତ୍ମପରିବର୍ତ୍ତନ ଉପରେ ଆଲୋକପାତ କରାଯାଇଥିଲା । ଅତୀତର ଭୁଲରୁ ଶିକ୍ଷା ନେଇ ନୂଆ ଜୀବନ ଆରମ୍ଭ କରିବାକୁ ପ୍ରେରଣା ଦିଆଯାଇଥିଲା । ରାକ୍ଷୀବନ୍ଧନ ସମୟରେ ଅନ୍ତେବାସୀମାନେ ଭାବବିହ୍ୱଳ ହୋଇପଡିଥିଲେ । ରକ୍ତ ସମ୍ପର୍କଠୁ ଉର୍ଦ୍ଧ୍ୱରେ ଏହି ବନ୍ଧନ ସେମାନଙ୍କ ମନରେ ଆଶା ଓ ଆତ୍ମବିଶ୍ୱାସ ଭରିଦେଇଥିଲା । କିଛି ସମୟ ପାଇଁ ଜେଲ ପରିସର ଏକ ଆତ୍ମୀୟ ପରିବାର ପରି ଲାଗୁଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ୱତନ୍ତ୍ର କାରାଗୃହର ଜେଲର ସମରେନ୍ଦ୍ର ଦେହୁରୀ, ବୁଭୁନାନନ୍ଦ ସ୍ୱାଇଁ, ଶ୍ରୀମତୀ ସ୍ୱାଗତିକା ଦାସ ଓ ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ସେବା କାର୍ଯ୍ୟରେ ଜୟଶଙ୍କର ଗୌଡ, ବିଶ୍ୱମ୍ଭର ମହାନ୍ତି, ରଞ୍ଜିତା ଗୁପ୍ତା, ବିଷ୍ଣୁ ପ୍ରଧାନ, ସୁନୀତା ସାହୁ, ଜ୍ୟୋତି ସାହୁ, ପର୍ଶୁରାମ ବଡାଇକ, ମନୋଜ ସାହୁ ଓ ଅନ୍ୟମାନେ ସହଯୋଗ କରିଥିଲେ । ପରିଶେଷରେ ରାକ୍ଷୀର ସୂତା ଏହି ବାର୍ତ୍ତା ଦେଇଗଲା ଯେ, ରକ୍ଷା କେବଳ ଜଣେ ଭଉଣୀର ନୁହେଁ, ସମ୍ମାନ ଓ ମାନବିକତାର ମଧ୍ୟ କରିବା ଉଚିତ ।

Leave A Reply

Your email address will not be published.