jayashree

ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଜାତୀୟ କ୍ରୀଡା ଦିବସ ପାଳିତ, ୨୫ କ୍ରୀଡାବିତଙ୍କୁ ସମ୍ମାନିତ କଲା ଚନ୍ଦ୍ରଶେଖର କ୍ରୀଡା ସଂଗଠନ ରାଉରକେଲା । ରାଜ୍ୟର ଅଗ୍ରଣୀ କ୍ରୀଡା ସଂଗଠନ ଚନ୍ଦ୍ରଶେଖର କ୍ରୀଡା ସଂଗଠନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ବେଶ ଉତ୍ସାହ ସହ ପାଳିତ ହୋଇଯାଇଛି । ସେକ୍ଟର-୨ ମାକ୍ସମୁଲର ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ ଜଣ ବରିଷ୍ଠ, ୫ ଜଣ ମରଣୋତ୍ତର ଏବଂ ୫ ଜଣ ନବ ପଲ୍ଲବିତ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସଂଗଠନର ଅଧ୍ୟକ୍ଷ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲା ଉପ କ୍ରୀଡା ନିର୍ଦ୍ଦେଶକ ସୁଦୀପ୍ତ ନାୟକ, ରାଉରକେଲା ଚାମ୍ବର ଅଫ କମର୍ସ ସଭାପତି ମଳୟ ମଣ୍ଡଳ, ସମାଜସେବୀ ଦେବେନ୍ଦ୍ର ବାଗ ଓ ମେଘା ଅଗ୍ରୱାଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସମସ୍ତ ଅତିଥି ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରେ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ, ଆରଏସ୍‌ପି ପକ୍ଷରୁ କ୍ରୀଡାକୁ ପ୍ରୋତ୍ସାହନ ପାଇଁ ସର୍ବଦା ପ୍ରୟାସ ଜାରି ରହିଛି । ଚନ୍ଦ୍ରଶେଖର କ୍ରୀଡା ସଂଗଠନ ବରିଷ୍ଠ ଖେଳାଳିଙ୍କୁ ଆଣି ସମ୍ମାନିତ କରୁଥିବା ଏକ ନିଆରା ପ୍ରୟାସ । ଅନ୍ୟ ଅତିଥିମାନେ ମଧ୍ୟ କହିଥିଲେ ଯେ ଏଠି ବରିଷ୍ଠ, କନିଷ୍ଠ ଓ ନବ ପଲ୍ଲବିତ ଖେଳାଳିଙ୍କ ଏକାଠି ଉପସ୍ଥିତି ଏକ ସୁନ୍ଦର ପରମ୍ପରାର ବାର୍ତ୍ତା ଦେଉଛି । ସଂଗଠନର ସାଧାରଣ ସମ୍ପାଦକ ଦେବଦତ୍ତ ଜେନା ଓ ଅଧ୍ୟକ୍ଷଙ୍କ ପ୍ରୟାସରେ ଏପର୍ଯ୍ୟନ୍ତ ସୁନ୍ଦରଗଡ ଜିଲ୍ଲାରୁ ୫୦ରୁ ଅଧିକ ମହିଳା ଜାତୀୟ ଭଲିବଲ ଖେଳାଳି ସୃଷ୍ଟି ହୋଇଛନ୍ତି, ଯେଉଁମାନେ ଏବେ ସରକାରୀ ଚାକିରିରେ ଅଛନ୍ତି । ସଂଗଠନ ମହିଳା ଭଲିବଲ ସହ ସାଇକେଲିଂ ଓ ଯୋଗକୁ ପ୍ରାଧାନ୍ୟ ଦେଉଛି ଓ ଆଗକୁ ଅନ୍ୟ ଖେଳକୁ ମଧ୍ୟ ପ୍ରୋତ୍ସାହନ ଦେବ।ଶେଷରେ ସଭାପତି ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ, ବରିଷ୍ଠ କ୍ରୀଡାବିତ୍ ନିଖିଳ କଳାକର ଧନ୍ୟବାଦ ଦେଇଥିଲେ ଓ ଅନୀଲ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ । ଉପସଭାପତି ଗୋପାଳ ଜେନା, ସୁଶାନ୍ତ ଶତପଥୀ, ଗୁପ୍ତେଶ୍ୱର ଡୋରା, ମୃତ୍ୟୁଞ୍ଜୟ ନାୟକ, ରାଧାକାନ୍ତ ତ୍ରିପାଠୀ ଓ ବିଶ୍ୱଜିତ ମହାନ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.