
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତଥା ପଶ୍ଚିମ ଓଡିଶାର ଅନ୍ୟତମ ଅଗ୍ରଣୀ ସଂଗୀତ ଅନୁଷ୍ଠାନ ‘ଉତ୍ତମ୍ ଗୀତ୍ ସଙ୍ଗୀତ’ ଆନୁକୂଲ୍ୟରେ ନିକଟ ଅତୀତରେ ଦେହତ୍ୟାଗ କରିଥିବା ଓଡିଆ ସଂଗୀତ ଜଗତର ପ୍ରବାଦ ପୁରୁଷ ସ୍ଵର୍ଗତ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଉଦ୍ଦେଶ୍ୟରେ ଏକ ଭବ୍ୟ ସଂଗୀତ ସଂଧ୍ୟା ସ୍ଥାନୀୟ ସରୋବର ରେଷ୍ଟୁରାଣ୍ଟ ହଲ୍ରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଂସ୍ଥାପକ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଉତ୍ତମ କୁମାର ଖଟୁଆ ଏବଂ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ, ଦିବଂଗତ ସ୍ୱର୍ଗତଃ ପ୍ରଣବ ପଟ୍ଟନାୟକଙ୍କ ପାଇଁ ଏକ ନୀରବ ପ୍ରାର୍ଥନା ପରେ ସଂଗୀତ ସନ୍ଧ୍ୟାର ଶୁଭାରମ୍ଭ ହୋଇ ଥିଲା । ସ୍ଵର୍ଗତଃ ପ୍ରଣବ ପଟ୍ଟନାୟକଙ୍କ କଣ୍ଠନିସୃତ ବିଭିନ୍ନ ବିଖ୍ୟାତ ଚଳଚ୍ଚିତ୍ର ଏବଂ ଲଘୁ ସଙ୍ଗୀତ ଗୁଡ଼ିକୁ କଣ୍ଠଶିଳ୍ପୀ ମାନେ ପରିବେଷଣ କରିଥିଲେ । ସଂଗୀତ ସନ୍ଧ୍ୟାଟି ବେଶ୍ ଉପଭୋଗ୍ୟ ହେବାର ଦେଖାଯାଇଥିଲା । ଉତ୍ତମ କୁମାର ଖଟୁଆ, ପ୍ରଫୁଲ୍ଲ ମଙ୍ଗଳ, ସତ୍ୟବ୍ରତ ମହାନ୍ତି, ରଶ୍ମି ରଞ୍ଜନ ଦାସ, ପ୍ରଦୀପ କୁମାର ମହାନ୍ତ, ଶ୍ରାବଣୀ ମହାନ୍ତି, ସଂଗୀତା ପାତ୍ର ଓ ଝରଣା ମିଶ୍ର ପ୍ରମୁଖ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ । ସୁସାହିତ୍ୟିକ ତଥା ବିଶିଷ୍ଟ କଳା ସଂଗଠକ ରଶ୍ମି ରଞ୍ଜନ ଦାସ ମଞ୍ଚ ପରିଚାଳନା କରିଥିଲେ ।