jayashree

ଆଦିବାସୀଙ୍କ ପରିବେଶ ଚିନ୍ତା – ବାରବର୍ଷ ହେଲା ଗଛକୁ ବନ୍ଧୁଛନ୍ତି ରାକ୍ଷୀ

ମୁନିଗୁଡ଼ା, (ରମାକାନ୍ତ ପଡ଼ାଲ୍) : ଭାଇ-ଭଉଣୀଙ୍କ ସ୍ନେହ ଓ ଭଲପାଇବାର ପର୍ବ ରାକ୍ଷୀ ପୂର୍ଣ୍ଣିମା। ହାତରେ ରାକ୍ଷୀ ବାନ୍ଧି ଭାଇର ଦୀର୍ଘାୟୁ ଓ ସୁରକ୍ଷା କାମନା କରିବା ହେଉଛି ଏହି ପର୍ବର ପରମ୍ପରା। ହେଲେ ରାୟଗଡ଼ା ଜିଲ୍ଲାର ଏକ ଆଦିବାସୀ ଗାଁରେ ଏହି ପବିତ୍ର ପର୍ବକୁ ମିଳିଛି ଏକ ନିଆରା ରୂପ। ମଣିଷ ନୁହେଁ, ଜଙ୍ଗଲର ଗଛକୁ ରାକ୍ଷୀ ବାନ୍ଧିଛନ୍ତି ଗ୍ରାମବାସୀ। ଗଛକୁ ନିଜ ଭାଇ ଭଳି ମାନି ଦୀର୍ଘ ୧୨ ବର୍ଷ ଧରି ଏହି ପରମ୍ପରାକୁ ଜାରି ରଖିଛନ୍ତି ଚନ୍ଦ୍ରପୁର ବ୍ଲକ୍‌ର ହୁରୁଗୁଡ଼ା ଗାଁର ଆଦିବାସୀ ଲୋକେ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ହାତରେ ରାଖି ଧରି ଜଙ୍ଗଲକୁ ପହଞ୍ଚିଥିଲେ ଆଦିବାସୀ ମହିଳା ଓ ଯୁବକମାନେ। ପରେ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଭଳି ଗଛର ଡାଳରେ ରାକ୍ଷୀ ବାନ୍ଧିଥିଲେ। ଗଛ ହିଁ ସେମାନଙ୍କ ଜୀବନର ଏକ ବଡ଼ ସାହାରା ବୋଲି ବିଶ୍ୱାସ କରି ଏଭଳି ନିଆରା ପରମ୍ପରା ପାଳନ କରୁଛନ୍ତି ଗ୍ରାମବାସୀ। ଜଙ୍ଗଲ ଆମକୁ ଛାଇ ଦିଏ, ଜୀବନଦାୟୀ ଅମ୍ଳଜାନ ଦିଏ, ଫଳମୂଳ ସହ ଅନେକ ଆବଶ୍ୟକତା ପୂରଣ କରେ। ତେଣୁ ଗଛକୁ ସୁରକ୍ଷା ଦେବା ଓ ଜଙ୍ଗଲକୁ ବଞ୍ଚାଇ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ—ଏହି ବାର୍ତ୍ତା ଦେଉଛି ହୁରୁଗୁଡ଼ା ଗାଁର ଏହି ପରମ୍ପରା। ଦିନକୁ ଦିନ ପରିବେଶ ଉପରେ ବଢ଼ୁଥିବା ସଙ୍କଟ ମଧ୍ୟରେ ଆଦିବାସୀଙ୍କ ଏହି ପ୍ରକୃତି ପ୍ରେମ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ବଡ଼ ଉଦାହରଣ। ରାକ୍ଷୀର ଏହି ପବିତ୍ର ସୂତା ଏବେ କେବଳ ଭାଇ-ଭଉଣୀର ସମ୍ପର୍କକୁ ନୁହେଁ, ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ମଧ୍ୟ ମଜବୁତ କରୁଛି।

Leave A Reply

Your email address will not be published.