ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ

  • ଦୁର୍ନୀତି ନିବାରଣ କ୍ଷେତ୍ରରେ ଫାଇଭ-ଟି ଏବଂ ମୋ ସରକାର ଏକ ସଫଳ ରୂପାୟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ଦୁର୍ନୀତି ନିବାରଣ ବିଭାଗ, ବ୍ରହ୍ମପୁର ଡିଭିଜନ ଆରକ୍ଷୀ ଅଧିକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ ସୁସ୍ଥ ବିକଶିତ ରାଷ୍ଟ୍ର ଗଠନ ପାଇଁ ଦୁର୍ନୀତିର ପ୍ରତିବନ୍ଧକକୁ ହଟାଇବାର ଆବଶ୍ୟକତା ଉପରେ ଅବଗତ କରାଇଥିଲେ । ଦୁର୍ନୀତି ହଟାଇବା ଦିଗରେ ସମସ୍ତଙ୍କ ସହଭାଗିତା ଆବଶ୍ୟକ ସମ୍ପର୍କରେ ସୂଚାଇଥିଲେ । ବୈଠକରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ନିଜ ବକ୍ତବ୍ୟରେ ଦୁର୍ନୀତି ରୋକିବା ଦିଗରେ ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀଙ୍କ ଭୂମିକା ରହିବା ଜଣାଇ ଛାତ୍ର ଜୀବନରୁ ପ୍ରତ୍ୟେକ ଯୁବକ ସଚେତନତା ହେବା ଜରୁରୀ । ଶିକ୍ଷାନୁଷ୍ଠାନରେ ଶିକ୍ଷକ ଗଣ ଦୁର୍ନୀତିର ମୂଳ ଉତ୍ପାଟନ ଦିଗରେ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ଶିକ୍ଷା ଦେବା ଆଜିର ଦିନରେ ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଗଣଙ୍କୁ ଶପଥ ପାଠ କରାଯାଇଥିଲା । ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଦୁର୍ନୀତି ହଟାଇବା ଦିଗରେ ଓଡିଶା ଭିଜିଲାନ୍ସ ବିଭାଗ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ପ୍ରକାଶିତ ତଥ୍ୟ ସମ୍ପର୍କରେ ଅବଗତ କରାଇ କିଭଳି ଓଡିଶାରେ ଫାଇଭ-ଟି ଓ ମୋ ସରକାର ସ୍ଥାପିତ ହୋଇ ଲୋକମାନଙ୍କୁ ସେବା ଯୋଗାଇ ଆସୁଛି ତାହା ଜଣାଇଥିଲେ । ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରରେ କରାଯାଇଥିବା ତର୍କ ପ୍ରତିଯୋଗିତାରେ ଜୁନିୟର ବର୍ଗରେ ଯୁକ୍ତ ଦୁଇର ବଦ୍ରିନାଥ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପ୍ରଯୁକ୍ତା ରାଣୀ ମହାନ୍ତି ଦ୍ୱିତୀୟ ସ୍ଥାନ ଓ ଆରାଧାନା ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ସିନିୟର ବିଭାଗରେ ଯୁକ୍ତ ତିନିର ମମତା ନାହାକ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କିରଣ ମହାରଣା ଦ୍ୱିତୀୟ ସ୍ଥାନ ଓ ଗାୟତ୍ରୀ ବେହେରା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ମିଶନ ଶକ୍ତି ବିଭାଗ ତରଫରୁ ଏକ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା । ଛତ୍ରପୁର ଦୁର୍ନୀତି ବିଭାଗର ଡିଏସ୍‌ପି କ୍ରିଷ୍ଣା କୁମାରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.