
କେସିଙ୍ଗା, (ପ୍ରୀତେଶ ପଟେଲ) : ବାହାରୁ ଅସଲି ହେଲେ ଭିତରୁ ନକଲି । ହଁ ଆଜ୍ଞା ଆପଣ ମାନେ ନିଜ ଝାଳ ବୁହା ଟଙ୍କାରୁ ନିଜର କିଛି ସମୟର ସୌକ ପାଇଁ ଶହ ଶହ ଟଙ୍କା ଦେଇ ବିଦେଶୀ ମଦ କିଣି ପିଉଛନ୍ତି, ହେଲେ ଆପଣ ଜାଣିଛନ୍ତି କି ସେହି ମଦ ବୋତଲ ଅସଲି ହୋଇଥିବା ବେଳେ ବୋତଲ ଭିତରେ ରହିଛି ନକଲି ମଦ । ତାହା ପୁଣି ପୁରା ନୂଆ ବୋତଲ ନୂଆ ଷ୍ଟିକର ସହ ସରକାରୀ ସିଲ ମଧ୍ୟ ପଡ଼ିଥିବା ମଦ ବୋତଲ । ଦର୍ଶକ ବନ୍ଧୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଏନ୍ ଏ ସି ଅନ୍ତର୍ଗତ ବଲାଙ୍ଗିର ଛକ ନିକଟରେ ଥିବା ଦୁଇ ନମ୍ୱର୍ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଓ କୋଣାର୍କ ସ୍ପିନିଂ ମିଲ୍ ନିକଟରେ ଥିବା ତିନି ନମ୍ୱର୍ ବିଦେଶୀ ମଦ ଦୋକାନରେ ମିଳୁଛି ନକଲି ମଦ । ଆପଣ ଯଦି କେସିଙ୍ଗା ଅଞ୍ଚଳରେ ବସବାସ କରୁଛନ୍ତି ଆଉ ଯଦି କେବେ ଏହି ଦୋକାନରୁ ମଦ କିଣିଛନ୍ତି ତା’ ହେଲେ ତାହା ଅସଲି ପିଇଛନ୍ତି ନା ନକଲି ତାହା ଜାଣିବା କଷ୍ଟକର । ଆମେ ଏଥିପାଇଁ ଏହି ଦୁଇ ମଦ ଦୋକାନର ନା ନେଉଛୁ କାରଣ ଏହି ଦୁଇଟି ମଦ ଦୋକାନରେ ଯେଉଁ କିଛି କର୍ମଚାରୀମାନେ କାମ କରୁଥିଲେ ସେମାନେ ରହୁଥିବା ବଗାଡ ୱାର୍ଡ ନମ୍ୱର୍ ୨ ସ୍ଥିତ ଏକ ଭଡା ଘରେ ଓ କଲେଜ ରୋଡରେ ଥିବା ଏକ ଭଡ଼ା ଘରେ ଗୁରୁବାର ଭୋର୍ ସକାଳୁ ଭବାନୀପାଟଣା ଓ କେସିଙ୍ଗା ଅବକାରୀ ବିଭାଗର ଏକ ମିଳିତ ଟିମ୍ ଚଢାଉ କରି ୧୦ ଲିଟର ନକଲି ମଦ, ୨ ଶହ ଖାଲି ମଦ ବୋତଲ, ଠିପି ଓ ସିଲ୍ ଓ ୧୨ଶହ ମଦ ଷ୍ଟିକର ଜବତ କରିଛି । ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ ।