pr

ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଉଦ୍ଧାର କରି ପ୍ରଶଂସା ସାଉଁଟିଲେ ନାରାୟଣ

dr. purohit

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମାନବିକତାକୁ ଲଜ୍ଜିତ କଲା ଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ କୌଡ଼ିଆମୁଣ୍ଡା ଅଞ୍ଚଳରେ । ଏକ ବୁଦାମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଶିଶୁଟିର କାନ୍ଦ ଶୁଣି ଜଣେ ଚାଷୀ ଏହାକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ କୌଡ଼ିଆମୁଣ୍ଡା ଗ୍ରାମର ରବି ନାରାୟଣ ସାହୁ ସକାଳୁ ନିଜ ବିଲକୁ ଯାଇଥିଲେ । ଦିନ ପ୍ରାୟ ୧୧ଟା ସମୟରେ ଘରକୁ ଫେରିବା ବେଳେ ବିଶ୍ଵକର୍ମା ପୂଜାଥିବାରୁ ତାଙ୍କ ମଟର ସାଇକେଲକୁ ଧୋଇବା ପାଇଁ କେନାଲ ନିକଟରେ ଅଟକିଥିଲେ । ହଠାତ ତାଙ୍କୁ ଏକ ନବଜାତ ଶିଶୁର କ୍ରନ୍ଦନ ଶବ୍ଦ ଶୁଣାଗଲା । ସେ ଏଣେତେଣେ ଖୋଜିବା ପରେ ନିକଟରେ ଥିବା ବୁଦାମୂଳରୁ ଏକ କପଡ଼ାରେ ଗୁଡ଼ା ହୋଇଥିବା ନବଜାତ ଶିଶୁକନ୍ୟାକୁ ଚାଣ୍ଟି ଲାଗି ଆସୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ଜଣେ ବାଟୋଇଙ୍କୁ ଅଟକାଇ ଶିଶୁକନ୍ୟାକୁ ଦେଖିବା ପାଇଁ କହି ଶ୍ରୀ ସାହୁ ତାଙ୍କ ପତ୍ନୀ ଗୀତାଞ୍ଜଳି ସାହୁଙ୍କୁ ସମସ୍ତ ଘଟଣା ସମ୍ପର୍କରେ କହି ଡାକି ଆଣି ଉଭୟେ ମିଶି ଶିଶୁ କନ୍ୟାଟିକୁ ଉଦ୍ଧାର କରି ନିଜ ଘରକୁ ଆଣିଥିଲେ ଏବଂ ତାଙ୍କ ପୁଅ ସୁମିତ କୁମାର ସାହୁ ସହିତ ମିଶି ଶିଶୁକନ୍ୟାର ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଶିଶୁ ବିଭାଗ ଡାକ୍ତର ସତ୍ୟନାରାୟଣ ପାଣିଗ୍ରାହୀ ନବଜାତ ଶିଶୁର ଚିକିତ୍ସା କରିଥିବା ବେଳେ ଶିଶୁଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ପରେ ଶିଶୁ ମଙ୍ଗଳ ସମିତିକୁ ଖବର ଦେଇଥିଲେ । ପରେ ଶିଶୁକନ୍ୟାଟିକୁ ସୋନପୁର ସିଡବ୍ଲୁସିକୁ ହସ୍ତାନ୍ତର କରାଯାଇଛି । ତେବେ କିଏ ଏବଂ କାହିଁକି ଏଭଳି ଅମାନବୀୟ କାର୍ଯ୍ୟ କଲା ଓ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ଜନ୍ମ ଦେଇ ଫିଙ୍ଗି ଦେଇଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । ଶିଶୁକୁ ଫିଙ୍ଗି ଦେବାକୁ ସାଧାରଣରେ ନିନ୍ଦା କରାଯାଇଥିବା ବେଳେ ନବଜାତ ଶିଶୁ କନ୍ୟାକୁ ତାଙ୍କୁ ହସ୍ତାନ୍ତର କରାଯାଉ ବୋଲି ଶ୍ରୀ ସାହୁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି । ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ନାରାୟଣ ଓ ତାଙ୍କ ପରିବାରଙ୍କୁ ଜନସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି ।

nrusinghnath
Leave A Reply

Your email address will not be published.