
ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ ପଣ୍ଡକିଟାଲଠାରେ ତ୍ରିଦିବସୀୟ ଅଣ-ଆବାସିକ ତାଲିମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଜାନୁଆରୀ ୪ ତାରିଖରୁ ଆରମ୍ଭ ହୋଇଥିବା ତାଲିମ ସକାଳ ୧୦ଟାରୁ ୫ଟା ଯାଏ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମସାଗର ବାଗ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଡୁଙ୍ଗୁରିପାଲି ବ୍ଲକ ସହଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଦ୍ଧା ଉଦ୍ଘାଟନୀ ଉତ୍ସବରେ ଯୋଗଦେଇ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମନଯୋଗ ସହକାରେ ତାଲିମ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ସଫଳତା ନିମନ୍ତେ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ତାଲିମ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲା ସହଶିକ୍ଷାଧିକାରୀ ଡ଼. ରାଧାକାନ୍ତ ଗଡ଼ତିଆ, ଡୁଙ୍ଗୁରିପାଲି ବ୍ଲକ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ପରିଦର୍ଶନ କରି ପ୍ରଶିକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀରେ କାର୍ଯ୍ୟରତ ୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଗନେଇ ଥିଲେ । ବେହେରାମାଲ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୁରାରୀ ରଥ, ଗଧାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆନନ୍ଦ ପଧାନ, ଅନ୍ଧାରିବାଞ୍ଜି ସାଧନ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ଠାକୁର, ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ସାଧନ କର୍ମୀ ଭାବେ ଯୋଗଦାନ କରି ମୂଲ୍ୟାୟନର ଲକ୍ଷ୍ୟ, ବିଭିନ୍ନ କୌଶଳ, ସାଧନୀ, ପାଠ୍ୟକ୍ରମର ଲକ୍ଷ୍ୟ, ଦକ୍ଷତା, ଶିକ୍ଷଣ ଫଳାଫଳ, ସାମଗ୍ରିକ ପ୍ରଗତି ପତ୍ର ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ସ୍ଥାନୀୟ ଶିକ୍ଷକ ଦେବରାଜ ଭୋଇ, ଅଶ୍ୱିନୀ ପଧାନ, ପ୍ରମୋଦ ବାରିକ, ଶିକ୍ଷୟିତ୍ରୀ ଜାହ୍ନବୀ ଭୋଇ, ତପସ୍ୱିନୀ ଦାସ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ରିତା ମେହେର ଧନ୍ୟବାଦ ଦେଇଥିଲେ ।