jayashree

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡ଼ିଶାରେ ପ୍ରଥମ ଥର ପାଇଁ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନଲାଇନ୍ ମତାମତ ଓ ମୂଲ୍ୟାୟନ ଗ୍ରହଣ ବ୍ୟବସ୍ଥା ଉଦ୍‌ଘାଟିତ ହୋଇଯାଇଛି । ଏହାଦ୍ୱାରା ଡାକ୍ତରଖାନାକୁ ଆସୁଥିବା ରୋଗୀ ତଥା ସେମାନଙ୍କ ପରିଜନଙ୍କ ମତାମତ ଆଧାରରେ ଆହୁରି ବ୍ୟବସ୍ଥିତ ସ୍‌ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ପାରିବ ବୋଲି ଜଣାଯାଇଛି । ଏହି ଅବସରରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଡିଜିଟାଲ ସେବାର ଉନ୍ମୋଚନ ତଥା ଲୋକାର୍ପଣ କରିଥିଲେ । ପୂର୍ବରୁ ଏହି ସେବା ମେନୁଏଲ୍ ମାଧ୍ୟମରେ ହେଉଥିବା ଯୋଗୁଁ ରୋଗୀ ତଥା ସେମାନଙ୍କ ପରିଜନଙ୍କ ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହେଉଥିଲା । ଡିଜିଟାଲ ସିଷ୍ଟମରେ କ୍ୟୁଆର କୋଡକୁ ସ୍କାନ କରି ଲୋକେ ସ୍ଵକୀୟ ମତାମତ ଦେଇପାରିବେ, ଯେଉଁଥିରେ କି କୌଣସି ଓଟିପିର ଆବଶ୍ୟକତା ନାହିଁ । ହସ୍ପିଟାଲରେ ଉପଲବ୍ଧ ଔଷଧ ବିତରଣ ସେବା ସାଙ୍ଗକୁ ସଫାସୁତୁରା, ଅନ୍ତଃ ବିଭାଗ, କର୍ମଚାରୀଙ୍କ ବ୍ୟବହାର, ରୋଗୀ ସେବାରେ ବିଳମ୍ବ ସମେତ ସମସ୍ତ ବିଭାଗର ସେବା ଉପରେ ରୋଗୀ ତଥା ସେମାନଙ୍କ ପରିଜନ ମତାମତ ଉପସ୍ଥାପନ କରିପାରିବେ । ସେମାନଙ୍କ ମତାମତକୁ ଆଧାର କରି ପରବର୍ତ୍ତୀ ସମୟରେ ଡାକ୍ତରଖାନାର ଆହୁରି ଉନ୍ନତି ପାଇଁ ପଦକ୍ଷେପ ନିଆଯାଇପାରିବ ବୋଲି ହସ୍ପିଟାଲ ଅଧିକ୍ଷକ ଡ. ଶେଖରଲାଲ ପଧାନ ସୂଚନା ଦେଇଛନ୍ତି । କାୟାକଳ୍ପ ଯୋଜନାରେ ଲୋଇସିଂହା ଡାକ୍ତରଖାନାକୁ ମିଳିଥିବା ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଅର୍ଥକୁ ଏହି ସେବାରେ ବିନିଯୋଗ କରାଯାଇଥିବା ଜଣାଯାଇଛି । ଏହି ଲୋକାର୍ପଣ ସମାରୋହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପୁଷ୍ପାଞ୍ଜଳି ମିଶ୍ର, ଡ. ସଞ୍ଜୀବ କୁମାର ବିଶ୍ୱାଳ, ଡ. ଶୁଭେନ୍ଦୁ ପଧାନ, ଡ. ଯଶୋବନ୍ତ ପାଢ଼ୀଙ୍କ ସମେତ ଡାକ୍ତରଖାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଲୋକଙ୍କୁ ସୁବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ପୂର୍ବରୁ ଅନେକ ଉଦାହରଣ ସୃଷ୍ଟି କରିଥିବା ହସ୍ପିଟାଲ ଅଧିକ୍ଷକ ଡା. ଶେଖରଲାଲ ପଧାନଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.