
- କ୍ଷତିପୂରଣ ଦାବିରେ ଉତ୍ତେଜନା; ଡ୍ରାଇଭର ଅଟକ, ଗାଡ଼ି ଜବତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଗାଈ ଓ ଛେଳି ଚରାଇବାକୁ ଯାଇଥିବା ଜଣେ ବୃଦ୍ଧାଙ୍କ ପାଇଁ କାଳ ସାଜିଲା ଦ୍ରୁତଗାମୀ ପିକ୍ଅପ୍ ଭ୍ୟାନ୍ । ରାସ୍ତାକଡ଼ରେ ବସିଥିବା ସମୟରେ ଏକ ପିକ୍ଅପ୍ ଭ୍ୟାନ୍ ତାଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକ ଓ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ଥାନା ଅନ୍ତର୍ଗତ ଗୁଞ୍ଜିବାଡ଼ି ମୁଖ୍ୟ ରାସ୍ତାରେ ଶୁକ୍ରବାର ଅପରାହ୍ନରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତ ବୃଦ୍ଧା ଜଣକ ହେଲେ ଗୁଞ୍ଜିବାଡ଼ି ଖଲିଗୋଦାମ ସାହିର ନମ ପ୍ରଧାନଙ୍କ ପତ୍ନୀ ଟୁପା ପ୍ରଧାନ (୫୫) । ପ୍ରତିଦିନ ଭଳି ଟୁପା ଗାଈ ଓ ଛେଳି ଚରାଇବାକୁ ଯାଇଥିବା ବେଳେ ରାସ୍ତାକଡ଼ରେ ବସିଥିଲେ । ଏହି ସମୟରେ ରାଇକିଆ ପଟୁ କ.ନୂଆଗାଁ ଅଭିମୁଖେ ଏକ ପିକ୍ଅପ୍ ଭ୍ୟାନ୍ ଯାଉଥିଲା । ହଠାତ୍ ଏକ ଛେଳି ଗାଡ଼ି ସମ୍ମୁଖକୁ ଦୌଡ଼ି ଆସିବାରୁ ଚାଳକ ଗାଡ଼ିର ଭାରସାମ୍ୟ ହରାଇ ବସିଥିବା ଟୁପାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା । ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୁଖ୍ୟ ରାସ୍ତାରେ ମୃତଦେହ ରଖି ଧାରଣା ଦେଇଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା ଏବଂ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ସାରଙ୍ଗଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ପିକ୍ଅପ୍ ଭ୍ୟାନ୍କୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖିଛି । ଏନେଇ ଥାନା ଅଧିକାରୀ ସ୍ମିତା ଜେନା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଘଟଣାସ୍ଥଳରେ କ.ନୂଆଗାଁ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ ଓ ତହସିଲଦାର ସମୀର ପାଇକରାୟ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି । ତେବେ ରିପୋର୍ଟ ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ହଟିନଥିବାରୁ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇପାରିନଥିଲା । ମୃତକଙ୍କ ପରିବାରକୁ କେବେ ଓ କିପରି ସହାୟତା ମିଳିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ଅପେକ୍ଷା ରହିଛି ।