jayashree

ଦୀର୍ଘଦିନର ଦୁର୍ଦ୍ଦଶାରୁ ମୁକ୍ତି କେବେ ? : ଶୋଚନୀୟ ରାସ୍ତାରେ ଯାତାୟାତ ଯନ୍ତ୍ରଣା

  • ନିର୍ମାଣ ଦାବିରେ ପୂର୍ତ୍ତ ବିଭାଗକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଦାବୀ ପତ୍ର ପ୍ରଦାନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାସ୍ତା ଅଛି, ହେଲେ ଯାତାୟାତ ପାଇଁ ନାହିଁ ଉପଯୁକ୍ତ ସୁବିଧା । ଖାଲଖମା ଓ ବଡ଼ ବଡ଼ ଗର୍ତ୍ତରେ ଭର୍ତ୍ତି ରାସ୍ତା ଏବେ ଲୋକଙ୍କ ପାଇଁ ଦୈନନ୍ଦିନ ଯନ୍ତ୍ରଣାର କାରଣ ପାଲଟିଛି । ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମି ପରିସ୍ଥିତି ଆହୁରି ସଙ୍ଗୀନ ହୋଇପଡୁଛି । ଏଭଳି ଅବସ୍ଥାରେ ଦୀର୍ଘଦିନ ଧରି ଯାତାୟାତ ସମସ୍ୟା ଭୋଗୁଥିବା ସିନ୍ଦ୍ରିଗାଁ ପଞ୍ଚାୟତବାସୀ ଶେଷରେ ରାସ୍ତା ନିର୍ମାଣ ଦାବି ନେଇ ପୂର୍ତ୍ତ ବିଭାଗର ଦ୍ୱାରସ୍ଥ ହୋଇଛନ୍ତି । ବାଲିଗୁଡ଼ା ଉପଜିଲ୍ଲାପାଳଙ୍କ ବାସଭବନଠାରୁ ସିନ୍ଦ୍ରିଗାଁ-କୁଟିକିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ରାସ୍ତାସାରା ଖାଲଖମା ସୃଷ୍ଟି ହେବା ସହ ବଡ଼ ବଡ଼ ଗର୍ତ୍ତ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ରାସ୍ତାରେ ଯାତାୟାତ ସମୟରେ ନିୟମିତ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କେବଳ ସିନ୍ଦ୍ରିଗାଁ ନୁହେଁ, ୪ରୁ ଊର୍ଦ୍ଧ୍ୱ ପଞ୍ଚାୟତର ହଜାର ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ । ମେଡିକାଲ, ସ୍କୁଲ, କଲେଜ, ବଜାର ସମେତ ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ପ୍ରତିଦିନ ଲୋକେ ବାଲିଗୁଡ଼ାକୁ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଜରୁରୀ ସମୟରେ ରୋଗୀଙ୍କୁ ମେଡିକାଲ ନେବାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଯାତାୟାତ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ରାସ୍ତାର ଗୁରୁତ୍ୱ ରହିଛି । ଅନ୍ୟପକ୍ଷରେ ଏହି ରାସ୍ତାରେ ବାଲି ଲିଜ୍‌ପୋ ରହିଥିବାରୁ ଦିନରାତି ବାଲି ବୋଝେଇ ଭାରୀଯାନ ଚଳାଚଳ କରୁଛି । ଫଳରେ ରାସ୍ତା ଉପରେ ଯାନବାହନର ଚାପ ବୃଦ୍ଧି ପାଇବା ସହ ଏହାର ଅବସ୍ଥା ଆହୁରି ଖରାପ ହେଉଥିବା ଅଞ୍ଚଳବାସୀ କହିଛନ୍ତି । ବର୍ଷା ହେଲେ ଗର୍ତ୍ତଗୁଡ଼ିକରେ ପାଣି ଜମି ରହୁଥିବାରୁ ଗାଡ଼ି ଚାଳକ ମାନେ ଗର୍ତ୍ତର ଗଭୀରତା ଆକଳନ କରି ନପାରି ଅସୁବିଧାରେ ପଡୁଛନ୍ତି । ଏଭଳି ସ୍ଥିତିରେ ରାସ୍ତାର ତୁରନ୍ତ ନିର୍ମାଣ ଓ ମରାମତି କରିବା ସହ ଯାତାୟାତ ଉପଯୋଗୀ କରିବାକୁ ସିନ୍ଦ୍ରିଗାଁ ପଞ୍ଚାୟତବାସୀ ପୂର୍ତ୍ତ ବିଭାଗର ବାଲିଗୁଡ଼ା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କେବଳ ଅସ୍ଥାୟୀ ମରାମତି ନୁହେଁ, ଏହି ଗୁରୁତ୍ୱପୂର୍ଣ୍ଣ ସଂଯୋଗୀ କରଣ ରାସ୍ତାର ସ୍ଥାୟୀ ନିର୍ମାଣ କରିବାକୁ ସେମାନେ ଦାବି ଜଣାଇଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ମନୋଜ ମଳିକ, ଟଙ୍କଧର ମଳିକ, ଟୁକେଲା ମଳିକ, ନୀଳକଣ୍ଠ ମଳିକ, ରାଜୀବ ମଳିକ ଓ ରମାକାନ୍ତ ମଳିକ ଉପସ୍ଥିତ ଥିଲେ । ଏଠାରେ ଲୋକଙ୍କ ପ୍ରଶ୍ନ ଏବେ ଗୋଟିଏ ଯେ, ହଜାର ହଜାର ଲୋକଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଏହି ରାସ୍ତାର ସ୍ଥାୟୀ ନିର୍ମାଣ ପାଇଁ ବିଭାଗ କେବେ ପଦକ୍ଷେପ ନେବ ? ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.