
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ବୁଧବାର ଦିନ ଗୋଟିଏ ଚଳନ୍ତା ଟ୍ରାକ୍ଟରରୁ ଖସିପଡ଼ି ଜଣେ ନାବାଳକର ମୃତ୍ୟୁ ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ନାବାଳକ ଜଣକ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତର ପଦାସାହି ନିବାସୀ ଅକ୍ଷୟ କୁମାର ମଲ୍ଲିକଙ୍କ ପୁଅ ଗ୍ରେସ କୁମାର୍ ମଲ୍ଲିକ (୧୫) । ସୂଚନା ଅନୁଯାୟୀ ଗ୍ରେସ ଋତୁଙ୍ଗିଆ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଖରାଛୁଟି କଟାଇବା ପାଇଁ ଘରକୁ ଆସିଥିଲେ । ବୁଧବାର ଦିନ ବଡିଭୋରରୁ ବାପା ବିଲରେ ହଳ କରିବାକୁ ଯାଇଥିଲେ । ସକାଳୁ ନିଜ ନିତ୍ୟକର୍ମ ସାରି ଗ୍ରେସ୍ ଗାଁ ମୁଣ୍ଡରେ ବୁଲାବୁଲି କରୁଥିବା ବେଳେ ତାଜୁଙ୍ଗିଆରୁ ଏକ ଟ୍ରାକ୍ଟର ମହାଗୁଡ଼ି ଅଭିମୁଖେ ଯାଉଥିବା ଦେଖି ସେହି ଟ୍ରାକ୍ଟରରେ ଚଢ଼ି ଯାଇଥିଲେ । ହେଲେ କିଛି ବାଟ ଆସିବା ପରେ ମହାଗୁଡ଼ି ପହଞ୍ଚିବା ପୂର୍ବରୁ ଟୁଙ୍ଗୁଡ଼ୁମହା ସାହି ନିକଟରେ ଥିବା ହମ୍ପସରେ ଗାଡ଼ି ବ୍ରେକ ମାରିବାରୁ ସେ ଟ୍ରାକ୍ଟରରୁ ଛିଟିକି ପଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ୧୦୮ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରାହ୍ମଣୀଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବ୍ରାହ୍ମଣୀଗାଁ ଥାନା ଏସଆଇ ଭୋଳାନାଥ ପଣ୍ଡା ମେଡିକାଲରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି ।