pakka

ବିଶ୍ୱ ମୃତ୍ତିକା ଦିବସ-୨୦୨୧ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମାଟିର ଉର୍ବରତା ଓ ସୁରକ୍ଷାକୁ ଲକ୍ଷ୍ୟରେ ରଖି ‘ସୁସ୍ଥ ଧରା-ଖେତ ହରା’ ବାର୍ତ୍ତାରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କୃଷି ଭବନଠାରେ ବିଶ୍ବ ମୃତ୍ତିକା ଦିବସ-୨୦୨୧ ପାଳିତ ହୋଇଯାଇଛି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ସଶକ୍ତିକରଣ ମନ୍ତ୍ରଣାଳୟ ଏବଂ ଆଇସିଏଆର ସହାୟତାରେ ଆୟୋଜିତ ମୃତ୍ତିକା ଦିବସରେ କୃଷି କ୍ଷେତ୍ରର ଚାଷମାଟିକୁ ଜୀବନ୍ତ ରଖି ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଆଜିର ଏକ ବଡ ଆହ୍ବାନ ବୋଲି ଅତିଥି ଓ କୃଷି ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି । କ୍ରମଶଃ ଚାଷମାଟିର ଉର୍ବରତା କମିକମି ଯାଉଥିବା ବେଳେ ଉତ୍ପାଦକତାରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହେଉଛି । ତେଣୁ ନିୟମିତ ମାଟି ପରୀକ୍ଷଣ ସହ ମାଟିର ପରିଚାଳନା ଆଜିର ଦିନରେ ଜରୁରୀ ହୋଇପଡିଛି । ବିଶେଷକରି ମାଟିର ଉର୍ବରତା ବଢାଇବା ପାଇଁ ଜୈବିକ ସାର ଓ ଜୈବିକ ଖତର ପ୍ରୟୋଗ କରି ମାଟିର ଗୁଣାବତ୍ତା ରଖିପାରିଲେ ଶସ୍ୟ ଉତ୍ପାଦନ ଦୁଇଗୁଣା ହୋଇପାରିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ପଟ୍ଟନାୟକ ମତ ଦେଇଛନ୍ତି । ଜିଲ୍ଲା ମୃତ୍ତିକା ପରୀକ୍ଷଣ କେନ୍ଦ୍ରର ଅଧିକାରୀ ଶ୍ରୀନିବାସ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜଳଛାୟା ପ୍ରକଳ୍ପର ଅଧିକାରୀ ଚିନ୍ତାମଣି ବେହେରା, କୃଷି ବୈଜ୍ଞାନିକ ସ୍ୱରଜ୍ୟୋତି ପ୍ରଧାନ ଓ ପିପିଏଲର କ୍ଷେତ୍ରିୟ ଅଧିକାରୀ ପ୍ରମେଳ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାଟି ପରୀକ୍ଷଣ ଓ ପରିଚାଳନା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଜିଲ୍ଲାର ୨୦ ଜଣ ଚାଷୀଙ୍କୁ ମୃତ୍ତିକା ପରୀକ୍ଷଣ କାର୍ଡ ବିତରଣ କରାଯାଇଥିଲା ।

Leave A Reply

Your email address will not be published.

seven − six =