
- ଟ୍ରେନରେ ଫେରୁଥିବା ବେଳେ ଘଟିଲା ଅଘଟଣ, ପୋଲିସର ତଦନ୍ତ ଆରମ୍ଭ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାଦନ ଖଟିବାକୁ ଯାଇ ଫେରୁଥିବା ବେଳେ ଦାଦନ ଶ୍ରମିକ ମୃତ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରେ ଜଣେ ଦାଦନ ଶ୍ରମିକଙ୍କ ମୃତଦେହ । ଏହି ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକଙ୍କ ନାମ ଲୋକନାଥ ମାଝୀ ବୋଲି ଜଣାପଡ଼ିଛି । ସେ ଭରୁଆମୁଣ୍ଡା ଗ୍ରାମ, ଡେଢ଼ରା ଅଞ୍ଚଳର ବାସିନ୍ଦା ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଲୋକନାଥ ମାଝୀ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଇଥିଲେ । କାମ ସରିବା ପରେ ସେ ନିଜ ସ୍ତ୍ରୀ ଏବଂ ଦୁଇ ଛୁଆଙ୍କ ସହ ଟ୍ରେନ ଯୋଗେ ଘରକୁ ଫେରୁଥିବା ବେଳେ ହଠାତ୍ ଟ୍ରେନରେ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଟ୍ରେନ କଣ୍ଟାବାଞ୍ଜି ରେଳବାଇ ଷ୍ଟେସନରେ ପହଞ୍ଚିବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ କଣ୍ଟାବାଞ୍ଜି ରେଳବାଇ ପୋଲିସ ଏବଂ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ୍ୟୁର ପ୍ରକୃତ କାରଣ ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ପକ୍ଷରୁ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।