
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ କପସିପାଲି ଗ୍ରାମ ନିକଟରେ ଶନିବାର ସକାଳେ ଏକ ଦ୍ରୁତଗାମୀ ଟ୍ରକର ବେପରୁଆ ଧକ୍କାରେ ୨ଟି ଗାଈ-ବଳଦର ମୃତ୍ୟୁ ଘଟିଥିବାବେଳେ ୨ଟି ବଳଦ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଛତିଶଗଡ଼ ନମ୍ବର ସିଜି-୦୭-ବିଭି-୧୦୮୧ ବିଶିଷ୍ଟ ଟ୍ରକଟି ପାଟଣାଗଡ଼ ପଟରୁ ଦ୍ରୁତଗତିରେ ଆସୁଥିବା ବେଳେ ରାସ୍ତାରେ ଥିବା ଗାଈ ଓ ବଳଦଙ୍କୁ ଧକ୍କା ଦେଇଥିଲା । ମୃତ ଓ ଆହତ ପଶୁଗୁଡ଼ିକ କପସିପାଲି ଗ୍ରାମର ଜଣେ ନିରୀହ ଚାଷୀ ମାଧବ ଛତରଙ୍କର ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣାରେ ସେ ବଡ଼ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକ ସହ ଫେରାର ହେବାକୁ ଉଦ୍ୟମ କରୁଥିବା ଡ୍ରାଇଭରଙ୍କୁ ସ୍ଥାନୀୟ ଗ୍ରାମବାସୀ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଏଏସ୍ଆଇ ନବୀନ ଭୋଇଙ୍କ ନେତୃତ୍ୱରେ ଖପ୍ରାଖୋଲ ପୋଲିସ ଟ୍ରକ ଓ ଡ୍ରାଇଭର ମନପ୍ରିତ ସିଂଙ୍କୁ ଥାନାକୁ ଆଣି ଘଟଣାର ତଦନ୍ତ ଆରମ୍ଭ କରିଛି । ଟ୍ରକ ମାଲିକ ଘଟଣାସ୍ଥଳରୁ କାର ସହ ଫେରାର ହୋଇଥିବା ଜଣାପଡ଼ିଛି ।