jayashree

ବିଭିନ୍ନ ଦାବିରେ ସିପିଆଇଏମ୍‌ର ବିକ୍ଷୋଭ : ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଲୋକଙ୍କ ଜୀବନ ଜୀବିକା ଓ ବଞ୍ଚିବାର ଅଧିକାର ସୁରକ୍ଷା ଦାବିକୁ ନେଇ ସିପିଆଇଏମ୍ ଓଡ଼ିଶା ରାଜ୍ୟ କମିଟି ଆହ୍ୱାନରେ ପାର୍ଟିର ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଜୁଲାଇ ମାସ ତମାମ ଘର ଘର ବୁଲି ପ୍ରଚାର ଅଭିଯାନ କରିବା ସହିତ ଆଜି ପ୍ରଚାର ଅଭିଯାନର ଶେଷ ଦିନରେ ପାନପୋଷ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପାର୍ଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ୨୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏଲ୍‌ଆଇଆଇ ପାର୍ଟିର ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ଆଂଚଳିକ ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଭାଗିରଥି ଟୁଡୁ, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ନାୟକ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ଅରୁଣ ମହାରଣା, ପ୍ରଭାତ ମହାନ୍ତି, ଅଜିତ ଏକ୍କା ପ୍ରମୁଖ ବକ୍ତବ୍ୟ ରଖି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଲୋକଙ୍କ ଜୀନ ଜୀବନ ଅଧିକ ଯନ୍ତ୍ରଣାଦାୟକ ହୋଇପଡିଛି । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ହୋଇଛି । ଦରଦାମ ବୃଦ୍ଧି, ବେକାରୀ, କୃଷି ସଂକଟ, ଶ୍ରମିକ ଶୋଷଣ, ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର, ଆଦିବାସୀ ଓ ଦଳିତଙ୍କ ଉପରେ ଦମନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷାରେ ଅରାଜକତା, ଭୁଷୁଡି ପଡ଼ିଥିବା ସ୍ଵାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ ଦରବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନାରେ କଟକଣା ଏବଂ କର୍ପୋରେଟ ସ୍ୱାର୍ଥ ପାଇଁ ଜମି, ଜଙ୍ଗଲ ଓ ଖଣିଜ ସଂପଦର ଲୁଣ୍ଠନ ଆଦି ଜନ ବିରୋଧି ସରକାରଙ୍କ କାର୍ଯ୍ୟ ସାଧାରଣ ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି । ଏହା ବିରୁଦ୍ଧରେ ସକଳସ୍ତରର ଜନଗଣ ଏକ ହେବାକୁ ବକ୍ତାମାନେ ଆହ୍ୱାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ କୁହାଯାଇଛି ଯେ, ଓଡ଼ିଶାରେ ପ୍ରଥମ ଥର ପାଇଁ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପାଠ୍ୟପୁସ୍ତକରେ ବ୍ୟାପକ ମୁଦ୍ରଣ ବିଭ୍ରାଟ ହୋଇଛି ଯାହାର ଉତ୍ତରଦାୟିତ୍ୱ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନେଇ ତୁରନ୍ତ ଇସ୍ତଫା ଦେବା ଦରକାର । ତତ୍ ସହିତ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀର ଅହେତୁକ ବଜାର ଦର ନିୟନ୍ତ୍ରଣ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ନିୟନ୍ତ୍ରଣ, ଚାଷୀଙ୍କୁ ସର୍ବନିମ୍ନ ଏମ୍‌ଏସ୍‌ପି ପ୍ରଦାନ ଓ ଚାଷୀ ଆତ୍ମହତ୍ୟା ରୋକିବାକୁ କୃଷି ଋଣ ଛାଡ କରିବା, ମନରେଗାରେ ୨ ଶହ ଦିନ କାମ ଓ ୭ ଶହ ଟଙ୍କା ଦୈନିକ ମଜୁରୀ, ଶ୍ରମିକ ବିରୋଧୀ ୪ ଟି ଶ୍ରମ କୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ଓ ସମାନ କାମକୁ ସମାନ ଦରମା, ରାଉରକେଲା ସରକାରୀ ଡାକ୍ତରଖାନାର ସଂପ୍ରସାରଣ ସହିତ ଅଧିକ ସ୍ପେସାଲିଷ୍ଟ ଡାକ୍ତର, ନର୍ସ ସହିତ ଅଧିକ ବେଡ୍ ଓ ଅଧିକ ଟିକେଟ କାଉଣ୍ଟର ଖୋଲିବା, ଇଏସ୍‌ଆଇସି ମଡେଲ ହସ୍ପିଟାଲରେ ଅଧିକ ଡାକ୍ତର,ନର୍ସ, ପାରା ମେଡିକାଲ ଷ୍ଟାଫ୍ ନିଯୁକ୍ତ, ଆର୍‌ଏସ୍‌ପି ସଂପ୍ରସାରଣରେ ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି, ଜନବିରୋଧୀ ଟାଟା ପାୱାରର ସ୍ମାର୍ଟ ମିଟର ତୁରନ୍ତ ପ୍ରତ୍ୟାହାର ଓ ବିଦ୍ୟୁତ ସଂଶୋଧନ ବିଲ୍ ପ୍ରତ୍ୟାହାର ପ୍ରଭୃତି ଦାବିକୁ ସରକାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏହି ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟି ନେତା ବସନ୍ତ ପାଢ଼ୀ, କବି ପ୍ରଧାନ, ସାଗର ଛୋଟରାୟ, ଏନ୍ କେ ରାଉତରାୟ, ବଛିରାମ ବେହେରା, ବିଶ୍ଵନାଥ ଲେଙ୍କା, ପ୍ରମୋଦ ପରିଡ଼ା, ନିରଞ୍ଜନ ସିଂହ, ଅଶୋକ ଦାସ, ଆଦିତ୍ୟ ନାୟକ, ଲକ୍ଷ୍ମୀ ମହାନ୍ତି, କୁନ୍ଦନ ବେହେରା, ଜନ୍ମେଜୟ ଘୋଷ, ରାଜୀବ ବସନ୍ତ ରାୟ ପ୍ରମୁଖ ନେତ୍ୱତୃ ନେଇଥିଲେ ।

Leave A Reply

Your email address will not be published.