ମରଣାନ୍ତକ ଆକ୍ରମଣ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ୍‌ : ପୀଡ଼ିତଙ୍କ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମରଣାନ୍ତକ ଆକ୍ରମଣ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ନେଇ ଜଣେ ପୀଡ଼ିତ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ଥାନା ଅନ୍ତର୍ଗତ ସାରସବାହାଲ ଗ୍ରାମର ନିବାସୀ ସିଧେ ରଣା(୫୦) ଗତ ୨୬ ତାରିଖ ଦିନ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି । ଶ୍ରୀ ରଣା କହିଛନ୍ତି ଯେ, ତେବେ ଆକ୍ରମଣ ହେବା ପରେ ସେ ଥାନାକୁ ଯାଇ ଘଟଣା ସଂପର୍କରେ ଜଣାଇଥିଲେ ବି ପୋଲିସ ପ୍ରଥମେ ଚିକିତ୍ସା ହୁଅ ବୋଲି ତାଙ୍କୁ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ପୋଲିସ କହିବା ଅନୁସାରେ ପୀଡ଼ିତ ସିଧେ ରଣା ବଲାଙ୍ଗିର ଭୀମ ଭୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇ ୨୮ ତାରିଖ ଦିନ ରିଲିଫ୍‌ ହୋଇଥିବା ବେଳେ ୨୯ ତାରିଖ ଦିନ ଥାନାକୁ ପୁଣି ଆସିଥିଲେ ଏବଂ ୩୦ ତାରିଖ ଦିନ ଦେଓଗାଁ ପୋଲିସ କେସ୍‌ ଦର୍ଜ କରିଥିବା କାଗଜପତ୍ରରୁ ଜଣାପଡ଼ିଛି ।

ପୀଡ଼ିତ ଶ୍ରୀ ରଣାଙ୍କ କହିବା ଅନୁସାରେ ୨୬ ତାରିଖ ଦିନ ସଂଧ୍ୟା ସମୟରେ ନିକଟସ୍ଥ ସିଂବାହାଲିରୁ ଚାଲି ଚାଲି ଗାଁକୁ ଫେରିବା ବେଳେ ଗାଁ ମୁଣ୍ଡରେ ସାରସବାହାଲ ନିବାସୀ ଗୁରୁବାରୁ ରଣା ତାଙ୍କୁ ଠେଙ୍ଗା ସାହାଯ୍ୟରେ ଅତର୍କିତ ଆକ୍ରମଣ କରିଥିଲା । ଆକ୍ରମଣରେ ଶ୍ରୀ ରଣାଙ୍କ ମୁଣ୍ଡରେ ଦୁଇଟି ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ସେ ଗୋଡ଼ରେ ମଧ୍ୟ କ୍ଷତାକ୍ତ ହୋଇ ଲହୁଲୁହାଣ ହୋଇ ପଡ଼ିଥିଲେ । ବହୁ କଷ୍ଟରେ ଘରକୁ ଫେରିବା ପରେ ସେ ପରିବାରବର୍ଗଙ୍କ ସହ ଦେଓଗାଁ ଥାନାକୁ ଯାଇଥିଲେ ଓ ପୋଲିସ କହିବା ଅନୁସାରେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ । ଶ୍ରୀ ରଣାଙ୍କ କହିବା ଅନୁସାରେ ଆକ୍ରମଣକାରୀ ଗୁରୁବାରୁ ରଣା ତା’ ଝିଅର ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିବା ଆରୋପ କରି ତାଙ୍କୁ ଆକ୍ରମଣ କରିଛି, ଯାହା ନିହାତି ଭିତ୍ତିହୀନ । ତେବେ ଗୁରୁବାରୁ ଶ୍ରୀ ରଣାଙ୍କୁ ଜୀବନରେ ମାରିଦେବା ପାଇଁ ମଧ୍ୟ ଧମକ ଚମକ ଦେଉଥିବା ସେ ଅଭିଯୋଗ କରିଛନ୍ତି ।

ତେବେ ସାଧାରଣରେ ପ୍ରଶ୍ନ ଉଠୁଛି, ଏଭଳି ଲହୁଲୁହାଣ ମରଣାନ୍ତକ ଆକ୍ରମଣ ପରେ ମଧ୍ୟ ଦେଓଗାଁ ପୋଲିସ ତଦନ୍ତ ଆରମ୍ଭ ନ କରି ପୀଡ଼ିତଙ୍କୁ ଡାକ୍ତରଖାନା ପ୍ରଥମେ ଯାଅ ବୋଲି କହିବା କେତେଦୂର ଆଇନ ସମ୍ମତ ?

ତେବେ ସିଧେ ରଣାଙ୍କ କହିବା ଅନୁସାରେ ୨୯ ତାରିଖ ଦିନ ଦେଓଗାଁ ପୋଲିସ ଦୁଇ ପକ୍ଷକୁ ଥାନାକୁ ଡାକି ପଚରା ଉଚୁରା କରିଥିଲେ ବି କୌଣସି ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରିନାହିଁ । ଗରିବ ଦିନ ମଜୁରିଆ ସିଧେ ରଣା ପୁଣି ଆକ୍ରମଣର ଶିକାର ହେବାର ଆଶଙ୍କା ମଧ୍ୟ କରୁଥିବା ପ୍ରକାଶ କରିଛନ୍ତି । ପୋଲିସ୍‌ର ପଦକ୍ଷେପ ଉପରେ ସାଧାରଣରେ ସଂଦେହ ସୃଷ୍ଟି ହୋଇଥିବା ବେଳେ ଏଭଳି ଘଟଣାକୁ ପୋଲିସ ଅଣଦେଖା କରିବା ପୀଡ଼ିତଙ୍କ ପ୍ରତି ଘାତକ ପ୍ରମାଣିତ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave A Reply

Your email address will not be published.