ଭାଲୁମୁଣ୍ଡାଠାରୁ ମାଲପଡା ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା : ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ନ ହେଲେ ୨୦୨୪ ନିର୍ବାଚନରେ ଭୋଟ ବର୍ଜନ ନିଷ୍ପତି

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ସୀମାନ୍ତରେ ଥିବା ଭାଲୁମୁଣ୍ଡାଠାରୁ କପିଲାଭଟା ଭାୟା ମାଲପଡା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଦୀର୍ଘ ବର୍ଷରୁ ପ୍ରଶାସନ ପକ୍ଷରୁ ରାସ୍ତାର କୌଣସି ପ୍ରକାର ମରାମତି ନ ହେବାରୁ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାରେ ଯିବା ଆସିବା ବେଳେ ଟିକେ ଯଦି ଅନ୍ୟ ମନସ୍କ ହେଲେ ବଡ ଦୁର୍ଘଟଣାର ଶିକାର ହେବାକୁ ପଡୁଛି । ଏହି ରାସ୍ତାଦେଇ ଦୈନିକ ଶତାଧିକ ବିଭିନ୍ନ ଯାନବାହାନ ଯିବା ଆସିବା କରୁଛି । ରାସ୍ତାରେ ଅଧିକାଂଶ ସ୍ଥାନରେ ବଡ ବଡ ଖାଲଖମା ରହିଛି । ଅସୁସ୍ଥ ରୋଗୀଙ୍କୁ ଯଦି ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି ତେବେ ରାସ୍ତା ପାଇଁ ରୋଗୀ ଆପେ ଆପେ ଗୁରୁତର ହେବା ମଧ୍ୟ ନଜରକୁ ଆସିଛି । ଏହି ରାସ୍ତା ଉପରେ କପିଲାଭଟା ପଂଚାୟତ ସମେତ ଗନ୍ଧରାବନ୍ଧ, ଚୁଲିଫୁଙ୍କା, କୁଣ୍ଡାବୁଟୁଲା, ବଲଧା ଓ ପଡୋଶୀ ନୂଆପଡା ଜିଲ୍ଲାର ଲୋକେ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି । ଦୈନିକ ଭାଲୁମୁଣ୍ଡା ଶିଶୁ ମନ୍ଦିର, ଓଡିଶା ଆଦର୍ଶ ବିଦ୍ୟାଳୟ, ଏମ୍‌ଇ ସ୍କୁଲ, ହାଇସ୍କୁଲ, ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀମାନେ ଯିବା ଆସିବା କରୁଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଖାଲି ନିର୍ବାଚନ ସମୟରେ ନେତା ମନ୍ତ୍ରୀମାନେ ଆସି ବିଭିନ୍ନ ପ୍ରକାର ପ୍ରତିଶୃତି ଦେଇ ଚାଲିଯାଇଥାନ୍ତି ଆଉ ନିର୍ବାଚିତ ହେବା ପରେ ଆଉ ତାଙ୍କ ଦେଖା ମିଳେ ନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ କଣ୍ଟାବାଞ୍ଜି ଆର.ଡି ବିଭାଗର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କର୍ଣ୍ଣପାତ କରୁନାହାନ୍ତି । ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କେହି ଧ୍ୟାନ ଦେଉ ନାହାନ୍ତି ଯାହା ଦ୍ୱାରା ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଏହି ରାସ୍ତାରେ ଗର୍ଭବତୀ ଓ ରୋଗୀମାନଙ୍କୁ ନେବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣାଙ୍କୁ ଯୋଗାଯୋଗ କରିବାରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ । ତେବେ ଜିଲ୍ଲାପାଳ ଏହି ରାସ୍ତା ସମସ୍ୟାର ସମାଧାନ କେବେ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧୀଜୀବୀ ମହଲରେ ଆଲୋଚନା ହେଉଛି । ଭାଲୁମୁଣ୍ଡା ଗ୍ରାମଠାରୁ କପିଲାଭଟା ଭାୟା ମାଲପଡା ଗାଁ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ନ କଲେ ଆଗାମୀ ୨୦୨୪ ଭୋଟ ବର୍ଜନ କରାଯିବ ବୋଲି ଅଂଚଳର ବିଭିନ୍ନ ସଂଗଠନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହ ଅଂଚଳବାସୀଙ୍କ ପକ୍ଷରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.