ମରଣଯନ୍ତା ପାଲଟିଛି ଦେଓଗାଁ-ବଲାଙ୍ଗୀର ରାସ୍ତା : ଖରାରେ ଉଡୁଛି ଗୁଣ୍ଡ, ବର୍ଷା ହେଲେ କାଦୁଅ ପଚପଚ

ଦେଓଗାଁ, (ମନିଷ କୁମାର ସାହୁ) : ବରଗଡ-ବୋରିଗୁମ୍ମା ଜାତୀୟ ରାଜପଥ ବହୁ ଜନସମାଗମ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଯାନବାହନ ଯିବା ଆସିବା କରୁଛି । ଏବେ ଏହି ରାସ୍ତା ଅତି ଶୋଚନୀୟ ହୋଇଥିବାରୁ ଏହାକୁ ମରାମତି କରିବାକୁ ବିଭାଗୀୟ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଅନ୍ୟ ପଟରେ ଜାତୀୟ ରାଜପଥର ସୌନ୍ଦର୍ୟ୍ୟ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ଅଞ୍ଚଳର ରାସ୍ତା ମରାମତି ପାଇଁ କୁଣ୍ଠାବୋଧ କରୁଛନ୍ତି ସଡ଼କ ପରିବହନ ବିଭାଗ ବୋଲି ମତ ପ୍ରକାଶ ପାଉଛି।
ଦେଓଗାଁରୁ ବଲାଙ୍ଗୀର ମାତ୍ର ୨୦ କିଲୋମିଟର ରାସ୍ତା ହୋଇଥିଲେ ହେଁ, ଏହି ରାସ୍ତାଟି ମରଣଯନ୍ତା ପରି ଅସଂଖ୍ୟ ଖାଲ ଖମାରେ ପରିପୂର୍ଣ୍ଣ । ଏହି ଖଲଗୁଡିକରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ଆସି ପଥର ଗୁଣ୍ଡ ଭର୍ତି କରି ଦେଇ କାମ ସାରି ଦେଉଛି । ହେଲେ ସାମାନ୍ୟ ବର୍ଷା ହେଲେ ସେହି ଖାଲ ତାର ପୂର୍ବାବସ୍ଥକୁ ଫେରି ଆସୁଛି । ପୁଣି ଶୁଖିଲା ପାଗ ହେଲେ ଏହି ଗୁଣ୍ଡ ବାଇକ୍ ଚଳକଙ୍କ ପାଇଁ କାଳ ପାଲଟୁଛି । ଯେ କୌଣସି ଭାରି ଯାନ ରାସ୍ତା ଅତିକ୍ରମ କଲେ ସମଗ୍ର ରାସ୍ତା ପଥର ଗୁଣ୍ଡା ଧୂଳିରେ କୁହୁଡିର ଭ୍ରମ ସୃଷ୍ଟି କରୁଛି । ପଥର ଗୁଣ୍ଡ ଲୋକଙ୍କ ଆଖିରେ ପଶୁଛି । ରାସ୍ତା ଖରାପ ଯୋଗୁଁ ଏ ରାସ୍ତାରେ ଟ୍ରାଫିକ ନିୟମ ବୋଲି କିଛି ନାହିଁ । ନିଜକୁ ଖାଲ ଖମାରୁ ବଞ୍ଚାଇବା ପାଇଁ ଯିଏ ଯେଉଁ ଆଡେ ପାରିଲା ଯାଉଛି । ଯାହାଫଳରେ ନିୟମିତ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।
ଗତ ୨୮ ତାରିଖ ରାତିରେ ଦେଓଗାଁରୁ ବଙ୍ଗଳା ଯିବା ରାସ୍ତାରେ ଥିବା ସାତ୍ ମୁହିଁ ପୋଲ ନିକଟରେ ଗୋଟିଏ ଟ୍ରକ ଗାଡ଼ି (ଓଡ଼ି ୧୬ଏଫ୍ ୫୪୫୯) ବଙ୍ଗଳା ପଟରୁ ଦେଓଗାଁ ଆଡ଼କୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ନିିିିକଟସ୍ଥ ପୋଳ ଓ ରାସ୍ତା ଯୋଡିତ ହୋଇଥିବା ସ୍ଥାନରେ ବଡ଼ ଗାତ ହୋଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଥିଲା । ସେହିପରି ଗତ ୩୦ ତାରିଖ ଦିନ ଭୋର୍ ସକାଳୁ ସୋନଗଡ ନଦୀରୁ ବାଲି ଚୋରା ଚାଲାଣ କରୁଥିବା ଏକ ଟ୍ରାକ୍ଟର ଓ ଟେଙ୍କର୍ ମୁହାଁ ମୁହିଁ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଦୁଇ ଗାଡ଼ିର ଡ୍ରାଇଭର । ଜାତୀୟ ରାଜପଥ ୨୬ ଦେଓଗାଁ ନଦୀ ଖଣ୍ଡି ନିକଟରେ ବଙ୍ଗଳା ପଟରୁ ନଦୀରୁ ଚୋରା ବାଲି ବୋଝେଇ ହୋଇ ଯାଉଥିବା ଟ୍ରାକ୍ଟର (ଓଡ଼ି ୦୩ ପି ୨୬୪୯) ଗାଡି ଓ ଦେଓଗାଁ ପଟରୁ ଆସୁଥିବା (ଏପି ୩୧ ଟିଡି ୪୫୬୮)ଟେଙ୍କର ଗାଡ଼ି ସହ ଧକ୍କା ହୋଇଥିଲା ।

Leave A Reply

Your email address will not be published.