csstore

ଆରଏମସିର ଆବର୍ଜନା ଆଦାୟ ଫି’ ବନ୍ଦ ହେଉ : ଛେଣ୍ଡ କଲୋନୀ ନାଗରିକ ମଞ୍ଚ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ମହାନଗର ନିଗମରେ ଆବର୍ଜନା ଫି’ ଆଦାୟ ହେଉନଥିବା ବେଳେ ରାଉରକେଲା ମହାନଗର ନିଗମ (ଆରଏମସି)ରେ ଆବର୍ଜନା ଫି’ କାହିଁକି ଆଦାୟ କରାଯାଉଛି ବୋଲି ଛେଣ୍ଡ କଲୋନୀ ନାଗରିକ ମଞ୍ଚ ତରଫରୁ ପ୍ରଶ୍ନ କରାଯିବା ସହ ଏହାକୁ ବନ୍ଦ କରିବା ପାଇଁ ଦାବୀ କରାଯାଇଛି । ଫି’ ଆଦାୟ ପ୍ରତିବାଦରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ ମଂଚର କର୍ମକର୍ତ୍ତାମାନେ ଆଲୋଚନା କରି ଏହାକୁ ବନ୍ଦ କରିବା ପାଇଁ ଦାବୀ କରିଥିଲେ । ସୂଚନା ଯୋଗ୍ୟ ଯେ, ଆରଏମସି ଅଧିନରେ ମୋଟ ୪୦ଟି ୱାର୍ଡ ଥିବାବେଳେ କେତେକ ୱାର୍ଡକୁ ଘରୋଇକରଣ କରାଯାଇଛି । ଅନ୍ୟ କେତେକ ୱାର୍ଡରେ ଆରଏମସି ସଫେଇ କର୍ମଚାରୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି । ଆବର୍ଜନା ସଂଗ୍ରହ ବାବଦରେ ଭୁବନେଶ୍ୱର ମହାନଗର ନିଗମ ଫି’ ଆଦାୟ କରୁନଥିବା ବେଳେ ଆରଏମସିରେ ଆଦାୟ କରାଯାଇଛି । ଛେଣ୍ଡ କଲୋନୀରେ ଅଧିକାଂଶ ଲୋକ ଏହାକୁ ବିରୋଧ କରୁଥିବା ଓ ଫି’ ଆଦାୟ ବେଳେ ପାଟିତୁଣ୍ଡ ହେଉଥିବା ନେଇ ୫ଟି ସଚିବଙ୍କୁ ଜଣାଇବା ସହ ଏହାକୁ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି । ସେହିପରି ରାସନ କାର୍ଡ ନଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରାଯାଇଛି । ପ୍ରତିନିଧି ମଣ୍ଡଳୀରେ ମଂଚର ଆବାହକ ଜୟନ୍ତ କୁମାର ମିଶ୍ର, ବିଜୟ କୁମାର ବରାଳ, ଅଜିତ ପୂଜାରୀ, ହରିହର ଶତପଥୀ, ଏମପି ବେହେରା, ରାଜକିଶୋର ମିଶ୍ର, ଦେବନନ୍ଦନ ତ୍ରିପାଠୀ, ଶ୍ରୀଚରଣ ମହାନ୍ତି, କ୍ଷେତ୍ରବାସୀ ସେଠୀ, ଅକ୍ଷୟ ନାୟକ, ଉପେନ୍ଦ୍ର ପଢିଆରୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.