
ରାୟଗଡ଼ା, (କେପିଏନ୍ଏସ୍) : ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ବ୍ୟାଗ ଭିତରୁ ମହିଳାଙ୍କ ମୃତଦେହ ମିଳିବାର ବହୁ ଚର୍ଚ୍ଚିତ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପ୍ରାୟ ୪୫ ଦିନର ତଦନ୍ତ ପରେ ପୋଲିସ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମରୁ ୩୨ ବର୍ଷୀୟ ଅଟୋ ଚାଳକ ବୋଲି ସେଟ୍ଟି ସୁରେଶଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ମୃତ ସନ୍ଧ୍ୟା ଅଭିଯୁକ୍ତଙ୍କ ଘରେ କାମ କରୁଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା । ପରବର୍ତ୍ତୀ ସମୟରେ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଏହି ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ସନ୍ଧ୍ୟାଙ୍କୁ ହତ୍ୟା କରାଯାଇଥିବା ପୋଲିସ କହିଛି । ହତ୍ୟା ପରେ ଅଭିଯୁକ୍ତ ମୃତଦେହକୁ ଏକ ବ୍ୟାଗରେ ଭର୍ତ୍ତି କରି ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନ୍ ଯୋଗେ ରାୟଗଡ଼ା ଆଣିଥିଲେ । ପରେ ଖଳିଗୁଡ଼ା ଅଞ୍ଚଳ ନିକଟରେ ଥିବା ଏକ ଜନଶୂନ୍ୟ ସ୍ଥାନରେ ବ୍ୟାଗଟିକୁ ଫିଙ୍ଗି ଦେଇ ପ୍ରମାଣ ଲୁଚାଇବାକୁ ଉଦ୍ୟମ କରିଥିଲେ । ତଦନ୍ତ ସମୟରେ ଅଟୋ ଚାଳକମାନଙ୍କଠାରୁ ମିଳିଥିବା ସୂଚନା, ଏଟିଏମ୍ର ସିସିଟିଭି ଫୁଟେଜ୍ ଏବଂ ଆନ୍ଧ୍ରପ୍ରଦେଶ ପୋଲିସର ସହଯୋଗରେ ରାୟଗଡ଼ା ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।