mahavir

ଗନ୍ଧମାର୍ଦ୍ଦନରେ ନିଆଁ, ତଳେ ଚାଲିଛି ମହୋତ୍ସବ

  • ପ୍ରଥମ ଷ୍ଟେଜରେ ବିରୋଧ ପ୍ରଦର୍ଶନ କଲେ ରାଜନୈତିକ ଏବଂ ସାମାଜିକ ସଂଗଠନ

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲାର ସ୍ୱାଭିମାନ, ଐତିହ୍ୟର ମହାନ କିମ୍ବଦନ୍ତୀ ପର୍ବତ ଗନ୍ଧମାର୍ଦ୍ଦନରେ ନିଆଁ ଲାଗିଛି, ହେଲେ ତଳେ ଚାଲିଛି ହରିଶଙ୍କର ମହୋତ୍ସବ । ହରିଶଙ୍କର ମନ୍ଦିର ତଳେ ପ୍ରଥମ ଷ୍ଟେଜରେ ଜିଲ୍ଲା କଂଗ୍ରେସ ଉପସଭାପତି ଅଜିତ ପୁରୋହିତଙ୍କ ଆବାହକତ୍ୱରେ କୋଶଲ ମୁକ୍ତି ମୋର୍ଚ୍ଚା ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର କର୍ମକର୍ତ୍ତା ଗନ୍ଧମାର୍ଦ୍ଦନ ପାହାଡରେ ନିଆଁକୁ ନେଇ ମଞ୍ଚରେ ବିରୋଧ ପ୍ରଦର୍ଶନ କରିଥିବା ବେଳେ ପାଟଣାଗଡ ଉପଜିଲ୍ଲାପାଳଙ୍କ ପ୍ରୟାସରେ ଘଣ୍ଟାଏ ପରେ ପ୍ରତିଶ୍ରୁତିରେ ବିକ୍ଷୋଭ ପ୍ରଦର୍ଶନ ଓହରିଥିଲା । ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ପାଞ୍ଚ ଦିନ ଧରି ନୃସିଂହ ଚତୁର୍ଦ୍ଦଶୀ ହରିଶଙ୍କର ମହୋତ୍ସବ ଚାଲୁଥିବା ବେଳେ ତୃତୀୟ ସନ୍ଧ୍ୟାରେ ପ୍ରଥମ ମଞ୍ଚରେ ଜିଲ୍ଲା କଂଗ୍ରେସ ଉପସଭାପତିଙ୍କ ସହ କୋଶଲ ମୁକ୍ତି ମୋର୍ଚ୍ଚାର ଜଗନ ମେହେର, ଗିରିରାଜ ଭୋଇ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା କମିଟିର ସଦସ୍ୟମାନେ ପ୍ରଥମ ମଞ୍ଚରେ ବିରୋଧକରି ନାରାବାଜି କରିବା ସହ ମଞ୍ଚ ଚଲାଇ ଦେଇ ନଥିଲେ । ଏହାର ମୁଖ୍ୟ କାରଣ ହେଲା ଯେ ଯେଉଁ ହରିଶଙ୍କର ଗନ୍ଧମାର୍ଦ୍ଦନ ପାହାଡ ଶୈବପୀଠ ପାଇଁ ପ୍ରସିଦ୍ଧ, ସେହି ଗନ୍ଧମାର୍ଦ୍ଦନ ପାହାଡରେ କିଲୋମିଟର କିଲୋମିଟର ଧରି ବହୁ ଦିନରୁ ନିଆଁ ଲାଗିଥିଲେ ବି ପ୍ରଶାସନିକ ଅଧିକାରୀମାନେ ଜାଣି ସୁଦ୍ଧା ନିଆଁକୁ ଆୟତ୍ତ ନକରି ଜୈବ ବିବିଧତା ପଳର୍ଣ୍ଣ ଗନ୍ଧମାର୍ଦ୍ଦନକୁ ବଞ୍ଚାଇବାକୁ ଚେଷ୍ଟା କରି ନ ଥିବାରୁ ତଥା ବାରମ୍ବାର ଅଭିଯୋଗ ସତ୍ୱେ ଶୁଣୁ ନଥିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ନାଚ ଗୀତ ବନ୍ଦ କରି ଗନ୍ଧମାର୍ଦ୍ଦନକୁ ସୁରକ୍ଷା ଦିଅ ବୋଲି ଜିଦ୍‌ରେ ଅଟଳ ରହି ବହୁ ସମୟ ଧରି ପ୍ରଶାସନ ସହିତ ଯୁକ୍ତିତର୍କ ହୋଇଥିଲା । ପାଟଣାଗଡ ଉପ ଜିଲ୍ଲାପାଳଙ୍କ ସହିତ ନିଆଁ ଲିଭାଇବାକୁ ଡିଏଫ୍‌ଓ ନ ଆସିବା ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ଅଡି ବସିଥିଲେ । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଏହି ସମୟରେ ଉପସ୍ଥିତ ଥିଲେ । ସେ ସମସ୍ତ ଘଟଣାର ଗୁରୁତ୍ୱକୁ ଦେଖି ବଲାଙ୍ଗିର ଡିଏଫ୍‌ଓଙ୍କୁ ଆସିବାକୁ ନିର୍ଦ୍ଦେଶ ଦେଇଥିଲେ । ରାତି ୧୧ଟାରେ ବଲାଙ୍ଗିର ଡିଏଫ୍‌ଓ ଏବଂ ଏସିଏଫ୍‌ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ୧୦ଟି ସ୍ୱତନ୍ତ୍ର ଟିମ ନିଆଁ ଲିଭାଇବାକୁ ତୁରନ୍ତ ନିୟୋଜିତ କରିବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ଏବଂ ବହୁ ବିଳମ୍ବରେ ପ୍ରଥମ ମଞ୍ଚର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.