ଗାଧୋଇବା ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର

କନ୍ଧମାଳ : ଗାଧୋଇବା ନାଳରୁ ମହିଳାଙ୍କ ମୃତଦେହ ଉଦ୍ଧାର । ମୃତ ମହିଳା ଜଣକ ହେଲେ କୁଡୁତୁଲି ପଞ୍ଚାୟତ ମୁଣ୍ଡାରଗାଁର ବିଦୁର ପାତ୍ରଙ୍କ ସ୍ତ୍ରୀ ଶ୍ରୀମତୀ ପାତ୍ର । କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଗତେ, ଶ୍ରୀମତୀ ପାତ୍ର ସବୁଦିନ ଭଳି ଆଜି ମଧ୍ୟ ଗାଁ ନିକଟସ୍ଥ ଡିଗିରିପଡ଼ି ନାଳକୁ ଗାଧୋଇବାକୁ ଯାଇଥିଲେ । ତାଙ୍କୁ ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ବାହାରିଥିଲେ । ଗାଧୋଇବାକୁ ଯାଇଥିବା ନାଳ ନିକଟକୁ ଯାଇ ଦେଖିବା ବେଳେ ମହିଳାଙ୍କ ମୃତଦେହ ପାଣିରେ ଭାସୁଥିବାର ପରିବାର ଲୋକେ ଦେଖିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି କ.ନୂଆଗାଁ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଶ୍ରୀମତୀ ପାତ୍ରଙ୍କୁ ମୃତ ଘୋଷଣା କରିବା ସହ କ.ନୂଆଗାଁ ଥାନା ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ କ.ନୂଆଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

error: Content is protected !!