ମହତାବ ହାଇସ୍କୁଲ ୧୯୭୯ ବ୍ୟାଚ୍‌ର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମହତାବ ହାଇସ୍କୁଲ, ଡେଲାଙ୍ଗ ୧୯୭୯ ମସିହା ମ୍ୟାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନଙ୍କର ଏକ ପାରିବାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର ବରୁଣେଇ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଦୀର୍ଘ ୪୫ ବର୍ଷ ଅତିକ୍ରାନ୍ତ ହେବା ପରେ, ଜୀବନ ଅପରାହ୍ନର ମଧ୍ୟ ଭାଗରେ ପାଦ ଥାପିଥିବା ବନ୍ଧୁମାନେ ପରସ୍ପରକୁ ଭେଟି ଭାବବିହ୍ୱଳ ହୋଇପଡିଥିଲେ । ଅଧିକାଂଶ ବନ୍ଧୁ ଅବସର ଜୀବନ ବିତାଉଛନ୍ତି । ଅନେକ ଏବେ ଜିଲ୍ଲା କିମ୍ବା ରାଜ୍ୟ ବାହାରେ ରହୁଛନ୍ତି । ତଥାପି ବାଲ୍ୟ ବନ୍ଧୁମାନଙ୍କୁ ଭେଟିବା, ସେମାନଙ୍କର ପରିବାର ପରିଜନଙ୍କ ସହିତ ପରିଚିତ ହେବା, ପିଲାଦିନର ସ୍ମୃତିକୁ ଉଖାରି ସେଥିରେ ହଜିଯିବା ଓ ମଜ୍ଜିଯିବାରେ ସମୟ ବିତିଯାଇଥିଲା । ଇତି ମଧ୍ୟରେ କେତକ ବନ୍ଧୁ ପରଲୋକ ଗମନ କରିଛନ୍ତି । କିଛି ବନ୍ଧୁଙ୍କର ଖୋଜ ଖବର ମିଳୁନାହିଁ । କେତେଜଣ ଅସୁସ୍ଥ ଅଛନ୍ତି । ଏବେ ବନ୍ଧୁ ପବିତ୍ର ପରିଡା ଇହଧାମରୁ ବିଦାୟୀ ବନ୍ଧୁଙ୍କ ପାଇଁ ନିରବ ପ୍ରାର୍ଥନା, ଅସୁସ୍ଥ ବନ୍ଧୁଙ୍କର ଆରୋଗ୍ୟ କାମନା ସମୟରେ ଅଧିକାଂଶ ଭାବବିହ୍ୱଳ ହୋଇ ପଡିଥିଲେ । ନିୟମିତ ବ୍ୟବଧାନରେ ପରସ୍ପରକୁ ଭେଟିବାର ନିଷ୍ପତ୍ତି ନେବା ପରେ, ପ୍ରିୟ ଶିକ୍ଷାନୁଷ୍ଠାନ ମହତାବ ହାଇସ୍କୁଲର ଶୈକ୍ଷିକ ବାତାବରଣର ବିକାଶ ଓ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ସହାୟତା ପ୍ରଦାନ ପାଇଁ ୭୯ ବ୍ୟାଚ୍‌ ପଦକ୍ଷେପ ନେବ ବୋଲି ସ୍ଥିର ହେଲା । ପରମାନନ୍ଦ ସାହୁ ସଭାପତିତ୍ୱରେ ଏହି ବନ୍ଧୁ ମିଳନରେ ପୂର୍ଣଚନ୍ଦ୍ର ମହାପାତ୍ର, ସୁବାଷ ଚନ୍ଦ୍ର ବଳବନ୍ତରାୟ, ପୂର୍ଣ୍ଣ ଚନ୍ଦ୍ର ବଳିୟାରସିଂହ, ବିପିନି ବିହାରୀ ନରେନ୍ଦ୍ର, ପ୍ରସନ୍ନ ରଥ, ନବ ସାହୁ, ଧୂଳିରାମ ସାହୁ , ଅନନ୍ତ ଚରଣ ସାହୁ ସମେତ ୫୦ରୁ ଅଧିକ ବନ୍ଧୁ ପରିବାର ବର୍ଗ ଏହି ମିଳନ ଉତ୍ସବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.