pakka

ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମ ନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ୪୨ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ବୁଧବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ ହୋଇଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଯଜ୍ଞର ଅଙ୍କୁରାରୋପଣ କାର୍ଯ୍ୟ ଯଥାବିଧି ସମାପନ ହୋଇଥିବା ବେଳେ ବୁଧବାର ୩୫ରୁ ଅଧିକ ବ୍ରତୀ ପଦ୍ମ ପୁଷ୍କରିଣୀରୁ ଜଳଭର୍ତ୍ତି କଳସ ଧରି ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ କଳସ ଗୁଡିକ ଯଜ୍ଞ ପୀଠରେ ସ୍ଥାପନ କରାଯାଇଥିଲା । ଯଜ୍ଞ କର୍ତ୍ତା ଓ ବ୍ରତୀମାନଙ୍କୁ ବିଭିନ୍ନ ଗ୍ରାମରେ ମହିଳାମାନେ ଧୂପ, ଦୀପ, ଅକ୍ଷତ ଓ ପୁଷ୍ପ ଆଦି ସମର୍ପଣ କରିବା ପୂର୍ବକ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାମଭକ୍ତ ପ୍ରକାଶଚନ୍ଦ୍ର ପରିଡା ଧର୍ମପତ୍ନୀ ସୁମିତ୍ରା ପରିଡା ସହ ଯଜ୍ଞ ପୀଠରେ ଉପସ୍ଥିତ ହୋଇ କର୍ତ୍ତା ଓ କର୍ତ୍ତୀ ଦାୟିତ୍ୱ ନିର୍ବାହ କରିଥିଲେ । ଶ୍ରୀ ରାମଙ୍କ ପରମଭକ୍ତ ମହେନ୍ଦ୍ର କୁମାର ଶ୍ରୀଚନ୍ଦନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତ ୪୨ବର୍ଷ ଧରି ଏହି ଯଜ୍ଞାନୁଷ୍ଠାନ କାର୍ଯ୍ୟ ପରିଚାଳିତ ହୋଇଛି । ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ମିଳିତ ହୋଇ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ, ଅନୁଜ ଲକ୍ଷ୍ମଣ, ମାତା ସୀତା ଓ ମହାବୀର ହନୁମାନଙ୍କୁ ପୂଜାର୍ଚ୍ଚନା କରିଥିଲେ । ଆସନ୍ତା ରବିବାର ଗୋଧୂଳି ଲଗ୍ନରେ ମହାଯଜ୍ଞର ପୂର୍ଣ୍ଣାହୂତି ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବାବେଳେ ପ୍ରତ୍ୟହ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ପାଲା ଓ ରାମ ନାଟକ ଆଦି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସାଉରିଆ ଯଜ୍ଞ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ଯଜ୍ଞର ମୁଖ୍ୟ ପୁରୋଧା ପଣ୍ଡିତ ମୃତ୍ୟୁଞ୍ଜୟ ମିଶ୍ର ସାଥୀମାନଙ୍କ ସହ ମହାଯଜ୍ଞ ପୂଜାବିଧି କାର୍ଯ୍ୟ ଯଥାରୀତି ନିର୍ବାହ କରୁଛନ୍ତି । ଏହି ଧର୍ମାନୁଷ୍ଠାନରେ ଆଖପାଖ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ସମବେତ ହୋଇ ପ୍ରଭୁ ଶ୍ରୀରାମଙ୍କ କୃପାଭିକ୍ଷା ଲାଭ ପାଇଁ ପୂଜାର୍ଚ୍ଚନା କରୁଥିବା ପରିଲକ୍ଷିତ ହୋଇଛି ।

Leave A Reply

Your email address will not be published.

2 × 5 =