
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ‘ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦରଙ୍କ ତତ୍ୱାବଧାନରେ ମହାବିଦ୍ୟାଳୟର ପରିସରରେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଶତାଧିକ ବୃକ୍ଷରୋପଣ କରିଥିଲେ । ଅଧ୍ୟକ୍ଷ ଡକ୍ଟର ପନ୍ଦର ଉଦବୋଧନ ଦେଇ କହିଥିଲେ ‘ବୃକ୍ଷ ହେଉଛି ମଣିଷର ସର୍ବଶ୍ରେଷ୍ଠ ବନ୍ଧୁ’ । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକାରୀ ଅଧିକାରୀ ଡକ୍ଟର ରମଣୀ ନାଏକ ଏବଂ ବଲାଙ୍ଗିର ଜିଲ୍ଲାର ଯୁବ ରେଡକ୍ରସର ଆବାହକ ସଂପାଦିକା ବନ୍ଦନା ବାର ପରିଚାଳନା କରିବା ସହିତ ବୃକ୍ଷରୋପଣର ମହାତ୍ମ୍ୟ ସଂପର୍କରେ ଅବଗତ କରିଥିଲେ । ମାଆ ପାଇଁ ବୃକ୍ଷଟିଏ, ପ୍ରକୃତି ସୁରକ୍ଷା ଜୀବନ ରକ୍ଷା ଭଳି ସ୍ଲୋଗାନରେ ପରିସର ପ୍ରକମ୍ପିତ ହୋଇଉଠିଥିଲା । ଏଥିରେ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଶ୍ରୀକାନ୍ତ କୁମାର ବାରିକ, ହୃଷୀକେଶ ଦାସ, ଡକ୍ଟର ମଧୁସ୍ମିତା ମିଶ୍ର, ମେଘନାଦ ସାହୁ, ଆଶୀର୍ବାଦ ସାହୁ, ସୁମନ୍ତ ରଣା, ଚନ୍ଦନ ପୁହାଣ, କମଳାକାନ୍ତ କରାଳିଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ ।
