
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ଥାନା ଅନ୍ତର୍ଗତ ତାଳଗୁଡ଼ ଗ୍ରାମର ଏକ ପାହାଡ଼ ନିକଟରେ କିଛି ନିର୍ଦ୍ଧିଷ୍ଟ ଲୋକ ଗାଈ ମାରି ମାଂସକୁ ବିକ୍ରି କରିବା ପାଇଁ ବସ୍ତାରେ ଭର୍ତ୍ତି କରି ଅନ୍ୟତ୍ର ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ବିରୋଧ କରିଥଲେ । ଜୟପାଟଣା ପୋଲିସ ସହ ମୁଖିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋ ମାଂସକୁ ଜବତ କରିବା ସହ ସଂପୃକ୍ତ କିଛି ଲୋକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୁଚନା ମିଳିଛି । ଅଭିଯୁକ୍ତମାନେ ଅନେକ ଦିନ ଧରି ଏହି କାର୍ଯ୍ୟରେ ଲିପ୍ତ ଥିବାର ପ୍ରକାଶ କରିଥିବା ସୁଚନା ମିଳିଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସଂପୃକ୍ତ ଅଭିଯୁକ୍ତ ମାନଙ୍କ ପରିବାର ଲୋକେ ପାଟିତୁଣ୍ଡ କରୁଥିବା ଦେଖିବାକୁ ମିଳିଥିଲା । ପ୍ରାଣୀ ସମ୍ପଦ ବିଭାଗ ମଧ୍ୟ ମାଂସ ଚିହ୍ନଟ ପାଇଁ ଘଟଣାସ୍ଥଳରେ ପହଞ୍ଚି ଥିବା ବେଳେ ପୋଲିସ ତଦନ୍ତ କରୁଥିବା ସୁଚନା ମିଳିଛି । ଏ ଘଟଣାକୁ ବିଭିନ୍ନ ହିନ୍ଦୁ ସଂଗଠନ ପ୍ରତିକ୍ରିୟା ପ୍ରକାଶ କରିବା ସହ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଲୋକଙ୍କ ଭାବନା ସାଙ୍ଗରେ ଜଡ଼ିତ ଥିବା ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ମାନଙ୍କୁ ଜୟପାଟଣା ପୋଲିସ ଛାଡ଼ିଦେବା ପରେ ଏବେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଶନିବାର ମୁଖିଗୁଡ଼ାର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇ ଲୋକଙ୍କ ଦ୍ୱାରା ଘଟଣାର ଘୋର ବିରୋଧ କରାଯାଇଥିଲା । ଅନ୍ୟପକ୍ଷରେ ଆଜି ବି ଏକ ପ୍ରତିନିଧି ଦଳ ଜୟପାଟଣା ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିବା ସୁଚନା ମିଳିଛି ।