csstore

୨୩ତମ ବଲାଙ୍ଗିର ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳା ମଣ୍ଡପରେ ଆୟୋଜିତ ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ଚତୁର୍ଥ ସନ୍ଧ୍ୟା ଖୁବ୍ ସୁନ୍ଦର ଭାବେ ଆୟୋଜିତ ହୋଇଥିଲା । ଗୁରୁବାର ଜୟଦେବ କଳାସଂସଦ, ବଲାଙ୍ଗିର ଦ୍ଵାରା ନୂତନ ମଞ୍ଚଠାରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଧନେଶ୍ଵର ତାଣ୍ଡି, ଚୈତନ୍ୟ ମଟାରୀ ଏବଂ ଶାନ୍ତାନୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାସ୍ତରୀୟ ଦଳୀୟ ପ୍ରତିଯୋଗିତାରେ ଘୁଙ୍ଗୁରୁ କଳାପରିଷଦ, ପୁଇଁତଲା, ବୁଢାଦେଓ କରମଶାନୀ ଦଳ, ବଲାଙ୍ଗିର ମାହେଶ୍ୱରୀ ନଚନିଆଦଳ, ଦେଓଗାଁ କରମା ଦଳ, ବୁରୋମାଲ କୃଷ୍ଣଗୁରୁ ଦଳ ସାଲେପାଲି, କଳଙ୍ଗା ନୃତ୍ୟ ପତରାପାଲି, ମା’ ହରଚଣ୍ଡୀ ଢାପ ବଙ୍ଗୋମୁଣ୍ଡା, ଚଣ୍ଡୀ ସମଲାଇ ଗଉଡ ବାଡି, ଟିଟିଲାଗଡ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମରେ ଲୋକଉତ୍ସବ ସାଂସ୍କୃତିକ କମିଟି ଆନୁକୂଲ୍ୟରେ ଆକାଶବାଣୀ କଳାକାରଙ୍କ ଦ୍ଵାରା ଲୋକ ସଂଗୀତ ବିଚିତ୍ରା ନୂତନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା । ତରଣୀ ସୁନା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ବଲାଙ୍ଗିର, ସଭାପତିତ୍ଵରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଞ୍ଚାସୀନ ଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ, ସେମିନାର କମିଟି ଅଧ୍ୟକ୍ଷ ପରାଶର ବାଗ, ଖାଦ୍ୟ ଓ ଆବାସ କମିଟି ସହ ଅଧ୍ୟକ୍ଷ ସୋମନାଥ ମିଶ୍ର, ଅର୍ଥ କମିଟି ସହ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ମଞ୍ଚାସୀନ ଥିଲେ । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ସହ ଚତୁର୍ଥ ଦିବସର ଶୁଭ ଉଦଘାଟନ କରାଯାଇଥିଲା । ଟିଟିଲାଗଡ ଲିମପଡ଼ାର ବରିଷ୍ଠ କଳାକାର ସୁଦର୍ଶନ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଲୋକଉତ୍ସବ ପଶ୍ଚିମ ଓଡ଼ିଶାର ସବୁଠୁ ବଡ ଉତ୍ସବ, ଏହା କେବଳ କଳା ପ୍ରଦର୍ଶନର ମଞ୍ଚ ନୁହଁ ବରଂ ବଲାଙ୍ଗିର ଜିଲ୍ଲାର ଆତ୍ମା ବୋଲି କହିଥିଲେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ବାଗ । ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ ସୋମନାଥ ମିଶ୍ରଙ୍କ ଦ୍ୱାରା ହୋଇଥିବାବେଳେ ଅର୍ଥ କମିଟି ସହ ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ସେମିନାର କମିଟି ଅଧ୍ୟକ୍ଷ ପରାଶର ବାଗଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ମହାରାଷ୍ଟ୍ରର ଲାବଣୀ, ହରିୟଣାର ଘୁମର, ପଶ୍ଚିମବଙ୍ଗର ପୁରୁଲିଆ ଛଉ, ଉମରକୋଟର ମୋହିନୀ ନାଟ୍ୟମ, କାଶ୍ମୀରର ବଛାନାଗମ, ବଲାଙ୍ଗିରର ପଞ୍ଚମ, ପାଟଣାଗଡ଼ର ଅଭିଲା କଳାପରିଷଦ, ବଲାଙ୍ଗିରର ରାଧାରାଣୀ ସଂସ୍କୃତି ସାଂସଦ, ଝାଡ଼ଖଣ୍ଡର ସରାଇକେଲା ଛଉ, ଟିଟଲାଗଡର ପାୟଲ ନୃତ୍ୟ ଦଳ ପ୍ରମୁଖ ସାଂସ୍କୃତିକ ଦଳ ଲୋକ ଉତ୍ସବର ଚତୁର୍ଥ ରଜନୀରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

jayashree
Leave A Reply

Your email address will not be published.