
ସମ୍ବଲପୁର, (କେପିଏନ୍ଏସ୍) : ସମ୍ବଲପୁର ଜିଲ୍ଲାର ଚାଷକାର୍ଯ୍ୟ ବର୍ଷା ଅନିୟମିତତା, ଉଚ୍ଚ ତାପମାତ୍ରା ଏବଂ ମାତ୍ରାଧିକ ସାର ଓ ଔଷଧ ପ୍ରୟୋଗ ଦ୍ଵାରା ଅନେକ ଜଟିଳ ଆହ୍ୱାନର ସମ୍ମୁଖୀନ ହେଉଅଛି । ଯାହା ଫଳରେ ଚାଷୀ ଅଧିକ ଖର୍ଚ୍ଚାନ୍ତ ହେବା ସହ ଉତ୍ପାଦନରେ ହ୍ରାସ ଓ ନିମ୍ନମାନର ଉତ୍ପାଦ ଅମଳ ହେଉଅଛି । ଏଣୁ ଜଳବାୟୁ ସହନଶୀଳ କୃଷି ଅଭ୍ୟାସ ବର୍ତ୍ତମାନ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି ।
ଜଳବାୟୁ ସହନଶୀଳ କୃଷି ଅଭ୍ୟାସର ପ୍ରୋତ୍ସାହନ ପାଇଁ ଟି.ପି.ଡବ୍ଲୁ.ଓ. ଡି.ଏଲ୍. ସହାୟତାରେ ମହାଶକ୍ତି ଫାଉଣ୍ଡେସନ ପରିଚାଳନାରେ ସମ୍ବଲପୁର ସ୍ଥିତ ଶୀଲା ଟାୱାର ହୋଟେଲରେ ଏକ ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏହି ପ୍ରକଳ୍ପ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକର ୮ ଗୋଟି ଗ୍ରାମ ପଞ୍ଚାୟତରେ ୧୬୯୨ ଚାଷୀଙ୍କ ୧୭୫୦ ହେକ୍ଟର ଜମିରେ କାର୍ଯ୍ୟକାରୀ ହେବ ।
ଏହି କାର୍ଯ୍ୟକ୍ରମ ପ୍ରାକୃତିକ ସମ୍ପଦର ସୁରକ୍ଷା, ଉନ୍ନତି ଏବଂ ପୁନଃନିର୍ମାଣ, ମୃତ୍ତିକାର କ୍ଷୟ ରୋକିବା, ମୃତ୍ତିକାର ଉର୍ବରତାରେ ଉନ୍ନତି, ଜଳ ସଞ୍ଚୟ, ସବୁଜ ଗୃହ ଗ୍ୟାସ୍ ନିର୍ଗମନ ହ୍ରାସ, ରାସାୟନିକ ବ୍ୟବହାର ହ୍ରାସ ଭଳି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଏକାଧିକ ପ୍ରଭାବକୁ ହ୍ରାସ କରିବ ।
ମହାଶକ୍ତି ଫାଉଣ୍ଡେସନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଯୁଗଳ କିଶୋର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟି.ପି.ଡବ୍ଲୁ.ଓ. ଡି.ଏଲ୍.ର ମୁଖ୍ୟ କାର୍ଯ୍ୟନିର୍ବାହୀ ଗଜାନନ କାଲେ ଏବଂ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ହିମାଂଶୁ ଶେଖର ସାହୁ କାର୍ଯ୍ୟକ୍ରମକୁ ଲୋକାର୍ପିତ କରିବା ସହ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟି.ପି.ଡବ୍ଲୁ.ଓ. ଡି.ଏଲ୍.ର ସାମାଜିକ ଦାୟିତ୍ୱବୋଧ ବିଭାଗ ମୁଖ୍ୟ ଶ୍ରୀମତୀ ଅରୁଣା ମାରାଣ୍ଡି, ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ହରିବନ୍ଧୁ ସେଠ୍, ମାନେଶ୍ୱର ବ୍ଲକ କୃଷି ଅଧିକାରୀ ତୁଷାର ମିଶ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ସୁସ୍ମିତା ଦଣ୍ଡସେନା ପ୍ରମୁଖ ଯୋଗଦେଇ ଜଳବାୟୁ ସହନଶୀଳ କୃଷି କାର୍ଯ୍ୟକ୍ରମ ଦ୍ଵାରା ଚାଷୀମାନଙ୍କ ବିଭିନ୍ନ ଉପକାର ବିଷୟରେ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମରେ ମାନେଶ୍ୱର ବ୍ଲକର ୬୦ରୁ ଅଧିକ ଚାଷୀ ଯୋଗଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ରୋଜାଲିନ ଭୂୟାଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୃଷି ବିଶେଷଜ୍ଞ ମିହିର ରଞ୍ଜନ ସାଗର, ଅନୁଷ୍ଠାନର କର୍ମୀ ପ୍ରିୟଙ୍କା କୁମାରୀ, ମାନସୀ ପଟେଲ, ଗୌରୀ ଶଙ୍କର ମେହେର, ସୁବୋଧ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
