pakka

ପାଟଣାଗଡ଼ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିଜେପି ପକ୍ଷରୁ ଥାନା ଘେରାଉ : ପ୍ରଚଣ୍ଡ ଖରାରେ ବସିଲେ କନକବର୍ଦ୍ଧନ

bbehera

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର ଭୂମିକାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାର ଜ୍ୱଳନ୍ତ ଉଦାହରଣ ପାଟଣାଗଡ଼ ବ୍ଲକରେ ଜଣେ କାର୍ଯ୍ୟରତ ଜୁନିଅର ଇଂଜିନିୟରଙ୍କୁ ଗତବର୍ଷ ମେ’ ମାସର ୨୦ ତାରିଖରେ ହତ୍ୟା କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଆସାମୀକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ସେହିପରି ଅଗଷ୍ଟ ୨୨ରେ ପାଟଣାଗଡ଼ ସହରରେ ଥିବା ଅମୃତ କଳସ ସୁନା ଗହଣା ଦୋକାନରେ ଦିନ ଦିପହରରେ ପଶି ମାଲିକଙ୍କୁ ମରଣାନ୍ତକ ଆକ୍ରମଣ କରି କୋଟି କୋଟି ଟଙ୍କାର ସୁନା ଗହଣା ଦୁର୍ବୃତ୍ତମାନେ ଲୁଟିନେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୁଖ୍ୟ ଆସାମୀ ଧରାପଡି ନାହିଁ। ଖପ୍ରାଖୋଲ ଥାନା ଅନ୍ତର୍ଗତ ବାଞ୍ଜିପାଲିଗାଁରେ ଥିବା ଜଗନ୍ନାଥ ମନ୍ଦିର ଓ ବେଲପଡା ଥାନା ଅନ୍ତର୍ଗତ ମଣ୍ଡଳରୁ ଅଳଙ୍କାର ଚୋରୀ, ଗୁଣ୍ଡୁରୁ ପାଲି ଓ ତମିଆର ହତ୍ୟାକାଣ୍ଡ, ବେଲପଡା ଥାନା ଅନ୍ତର୍ଗତ ବନମାଲର ସମିତି ସଭ୍ୟ ଗୁଳିକାଣ୍ଡ ଘଟଣା ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତର ନଗ୍ନ ନମୁନା। ନିକଟରେ ପାଟଣାଗଡ଼ ରାମପୁରର ଦୁଇ ବନ୍ଧୁଙ୍କ ଠାରୁ ଦିନ ଦିପହରରେ ଛଅ ଲକ୍ଷ ପଚାଶ ହଜାର ଟଙ୍କା ଲୁଟ ଘଟଣାରେ ମଧ୍ୟ ପୋଲିସ ବିଫଳ ହୋଇଥିବା ବେଳେ ପୋଲିସ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ପୋଲିସ ପ୍ରତି ଉଠିବାରେ ଲାଗିଥିବା କୁହାଯାଉଛି । ଏହାର ପ୍ରତିବାଦରେ ପାଟଣାଗଡ଼ ବିଜେପି ପକ୍ଷରୁ ଆଜି ପୁର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ବରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିବା ଦେଖିବାକୁ ମିଳିଛି। ଏଥିରେ ସହରର ବିଭିନ୍ନ ସଂଗଠନ ଯୋଗ ଦେଇ ଥାନାରେ ପହଞ୍ଚି ଏସଡ଼ିପିଓ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ବସିଛନ୍ତି । ଶ୍ରୀ ସିଂଦେଓ ପ୍ରଚଣ୍ଡ ଖରାରେ ବସି ଥିବାରୁ ଉପସ୍ଥିତ ମାଜିଷ୍ଟ୍ରେଟ ଓ ଥାନା ଅଧିକାରୀ ଆସି ବୁଝାସୁଝା କରୁଥିଲେ ମଧ୍ୟ କନକବର୍ଦ୍ଧନ ଅଡି ବସି ଯେତେ ସମୟ ପର୍ଯ୍ୟନ୍ତ ଏସପି ନଆସନ୍ତି ସେ ଧାରଣରୁ ଉଠିବେ ନାହିଁ ବୋଲି କହିଥିବା ଜଣାପଡିଛି । ଘଟଣା ସ୍ଥଳରେ ଉପସ୍ଥିତ କର୍ମୀ ମାନଙ୍କ ଦ୍ବାରା ପୋଲିସ ବିରୁଦ୍ଧରେ ନାରାବାଜି ଦେଇ ସହର ପରିକ୍ରମା କରି ଥାନା ଘେରାଉ କରାଯାଇଥିଲା । ସେଠାରେ ଉପସ୍ଥିତ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.

fifteen − 9 =