pakka

କୁଆଡ଼େ ଗଲେ ମୃତ ସିଆର୍‌ପିଏଫ୍‌ ଯବାନଙ୍କ ପତ୍ନୀ, ଖୋଜୁଛି ସିଆର୍‌ପିଏଫ୍‌

bbehera

ତୁଷୁରା, (ଅଜିତ କୁମାର ସାହୁ) : କୁଆଡ଼େ ଗଲେ ମୃତ ସିଆରପିଏଫ ଯବାନଙ୍କ ପତ୍ନୀ, ତାଙ୍କୁ ଖୋଜୁଛନ୍‌ନ୍ତି ସିଆରପିଏଫ୍‌ ଅଧିକାରୀ । ସ୍ୱାମୀଙ୍କ କୋଭିଡ୍‌ରେ ମୃତ୍ୟୁ ପରେ ସ୍ତ୍ରୀଙ୍କୁ ଆର୍ଥିକ ସହୟତା ପ୍ରଦାନ ଲାଗି ତଦନ୍ତ ପାଇଁ ଆସିଥିବା ସିଆରପିଏଫ ଅଧିକାରୀ ସମ୍ପୃକ୍ତ ଯବାନଙ୍କ ପତ୍ନୀଙ୍କୁ ଖୋଜୁଛନ୍ତି । କାରଣ ଯବାନ ଜଣକ ବିବାହିତ ବୋଲି ପ୍ରମାଣପତ୍ର ଦେଇଥିବା ବେଳେ ଘର ଲୋକେ କହିଛନ୍ତି ସେ ଆଦୌ ବିବାହ କରିନାହାନ୍ତି । ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ସିଆରପିଏଫ ଅଧିକାରୀ ୨୩ ଦିନ ହେଲା ତଦନ୍ତ କରୁଛନ୍ତି । ଘଟଣାଟି ଏମିତି । ବଲାଙ୍ଗିର ଜିଲ୍ଳା ତୁଷୁରା ଥାନା ନୂଆପଡା ଗାଁର ସୂର୍ୟ୍ୟମଣି ଭୋଇ ଝାଡଖଣ୍ଡ ସିଆରପିଏଫ୍‌ର ୧୧ ନମ୍ବର ବାଟାଲିଅନ୍‌ର ହେଡ କନଷ୍ଟେବଳ ଭାବରେ କାମ କରୁଥିଲେ । ଗତ କିଛି ଦିନ ତଳେ ଗାଁକୁ ଛୁଟିରେ ଆସିଥିଲେ ସୂର୍ୟ୍ୟମଣି । ତାପରେ ତାଙ୍କୁ ଜ୍ୱର ହେବାରୁ ବଲାଙ୍ଗିରରେ କୋଭିଡ୍ ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିଲା ।  ଧୀରେ ଧୀରେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗିର କିମ୍ସ କୋଭିଡ ହସପିଟାଲରୁ ତାଙ୍କୁ ଭୂବନେଶ୍ୱର କୋଭିଡ ହସିପିଟାଲକୁ ପଠାଯାଥିଲା । ଗତ ସେପଟେମ୍ବର ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା  । ତାଙ୍କ ମୃତ୍ୟୁ ପରେ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ସିଆରପିଏଫ୍‌ ବିଭାଗ ତରଫରୁ ତଦନ୍ତ ଆରମ୍ଭ ହୋଇଥିଲା ।  ମୃତ ଯବାନ ନୋମିନୀ ଭାବେ ପିଙ୍କି ଭୋଇ ନାମକ ଜଣେ ଝିଅର ଫଟୋ ଦେଇ ତାଙ୍କୁ ନିଜ ସ୍ତ୍ରୀ ବୋଲି ଦର୍ଶାଇ ସିଆରପିଏଫ୍‌ ବିଭାଗରେ ଡିପେଣ୍ଡେଣ୍ଟ କାର୍ଡ ଦାଖଲ କରିଥିଲେ । ଯେଉଁଥିରେ ପିଙ୍କି ଭୋଇଙ୍କ କଣ୍ଟାକ୍ଟ ନମ୍ବର ୮୦୧୮୬୫୮୮୯୦ ଲେଖାଯାଇଛି ।


ତେବେ ଏହି ନମ୍ବରରେ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା ।  ଫଳରେ ଶେଷରେ ବିଭାଗ ତରଫରୁ ଜଣେ ସିଆରପିଏଫ କନଷ୍ଟେବଳ ବଲାଙ୍ଗିରକୁ ଆସି ମୃତ ଯବାନଙ୍କ ଗାଁକୁ ଯାଇଥିଲେ ।  ଗାଁରେ ପରିବାର ଲୋକେ ମୃତ ଯବାନ ସୂର୍ୟ୍ୟମଣି ଭୋଇ ବାହା ହୋଇନଥିବା କହିଥିଲେ । ବଲାଙ୍ଗିର ବିଏସଏନଏଲ ଅଫିସରେ ଚାକିରୀ  କରୁଥିବା ମୃତ ଯବାନଙ୍କ ବଡ ଭାଇ ଏହା କହିଛନ୍ତି । ସୂର୍ୟ୍ୟମଣିଙ୍କ ବାପା ହେଉଛନ୍ତି ଧୂବେଇ ଚରଣ ବେହେରା । କିନ୍ତୁ ଜନ୍ମ ପରେ ମାୟାଧର ଭୋଇଙ୍କ ପୌଷ୍ୟପୁତ୍ର ହୋଇଥିଲେ ସୂର୍ୟ୍ୟମଣି । ମୃତ ଯବାନ ଏବେ ପୋଷ୍ୟପୁତ୍ର କରିଥିବା ବାପା ମା’ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ନିଜ ବାପା ଧୁବେଇଚରଣ ବେହେରାଙ୍କ ମଧ୍ୟ ମୃତ୍ୟୁ ହୋଇସାରିଛି । ଏବେ ଘରେ ନିଜ ମା’ ପ୍ରଫୁଲ୍ଲ ବେହେରା ଏବଂ ଭାଇମାନେ ଅଛନ୍ତି । ଯଦି ସୂର୍ୟ୍ୟମଣି ବାହା ହୋଇନାହାନ୍ତି ତେବେ, ଡିପେଣ୍ଡେଣ୍ଟ କାର୍ଡରେ ସ୍ତ୍ରୀର ପରିଚୟ ଦେଇଥିବା ପିଙ୍କି ଭୋଇ କିଏ ?  ଏହା ସହିତ ତାଙ୍କର ରମେଶ ଭୋଇ ଏବଂ ରୀନା ଭୋଇ ନାଁରେ ପୁଅ, ଝିଅ ଥିବା ମଧ୍ୟ ଲେଖାଯାଇଛି ।  ଦୀର୍ଘ ୨୦ ଦିନ ହେଲା ସିଆରପିଏଫ ବିଭାଗ ତଥା ପରିବାର ଲୋକେ ପିଙ୍କି ଭୋଇଙ୍କୁ ଖୋଜି ବୁଲୁଥିବା ବେଳେ କୌଣସି ଖୋଜ ଖବର ମିଲୁନାହିଁ । ନୋମିନି ଭାବରେ ପିଙ୍କି ଭୋଇ ନାଁ ଥିବାରୁ, ତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଦେବା ପାଇଁ ଖୋଜୁଛି  ସିଆରପିଏଫ ବିଭାଗ । ଏ ସଂର୍ପକରେ ତଦନ୍ତ ପାଇଁ ଆସିଥିବା ସିଆରପିଏଫ ବିଭାଗର କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନଥିବାରୁ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।

jay balangir
Leave A Reply

Your email address will not be published.

3 − one =