ମା’ଙ୍କ କିଡ୍‌ନୀରେ ବଞ୍ଚିବ ପୁଅ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନେ ଗର୍ଭରେ ଦଶ ମାସ ଧରି ପୁଅକୁ ଜନ୍ମ ଦେଇଥିଲେ ମା’ । ଛାତିରୁ ନିଗାଡ଼ି ପୁଅ ମୁହଁରେ ଦେଇଥିଲେ ଅମୃତ ତୁଲ୍ୟ କ୍ଷୀର । ପୁଅ ସଂସାରରେ ବଢ଼ିବ, ଖେଳିବ ପୁଣି ତାର ଏକ ସଂସାର ଗଢ଼ିବ ପୁଅ ବୋଲି ମା’ ଦେଖିଥିଲେ ସ୍ୱପ୍ନ । ସେୟା ବି ହେଲା । ପୁଅ ବଡ଼ ହେଲା, ନିଜ ସାଂସାର ଗଢ଼ିଲା । ରୋଜଗାର କରି ଘର ଚଳାଇଲା । ହେଲେ ଦଇବର ଖେଳ ବଡ଼ ବିଚିତ୍ର । ଏବେ କିଡ୍‌ନୀ ରୋଗରେ ଆକ୍ରାନ୍ତ ପୁଅ ମା’ ଓ ପତ୍ନୀଙ୍କ ଆଖିରୁ ଶୁଖୁନି ଅମାନିଆ ଲୁହ । ସେ ଅସହାୟ ପୁଅ ହେଉଛନ୍ତି ବଲାଙ୍ଗିର ସହର ଇନ୍ଦିରାନଗରର ପ୍ରଭୁ ପ୍ରକାଶ ନାୟକ । ଦିନେ ପ୍ରଭୁ ପ୍ରକାଶ ରୋଜଗାର କରି ଘର ଚଳଉଥିଲେ । ସ୍ତ୍ରୀ ଓ ପରିବାରକୁ ନେଇ ହସଖୁସିରେ ଚାଳୁଥିଲା ଅଭାବୀ ସଂସାର । ହେଲେ ଦୁଃଖର ପାହାଡ଼ ତାଙ୍କ କପାଳକୁ ଛିଣ୍ଡିପଡିଲା । କିଡ୍‌ନୀ ରୋଗରେ ଆକ୍ରାନ୍ତ ହେଲେ ପ୍ରଭୁ ପ୍ରକାଶ । ଗତ ୯ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଥିବା ବେଳେ ତାଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । କିଏ ଟଙ୍କା ଗଦା ଉପରେ ଶୋଉଛି ତ ଆଉ କିଏ ଅର୍ଥ ଅଭାବରୁ ଜୀବନ ସହ ସଂଘର୍ଷ କରୁଛି । ଦୁର୍ଦ୍ଦିନରେ ପ୍ରଭୁଙ୍କ ପରିବାର । ବଲାଙ୍ଗିର ସହର ଇନ୍ଦିରାନଗରରେ ରହନ୍ତି ପ୍ରଭୁ ପ୍ରକାଶ ନାୟକ । ଘରେ ସେ ଏକା ରୋଜଗାରିଆ ଥିଲେ । ଦିନେ ସେ ଲକ୍ଷାଧିକ ଟଙ୍କା ରୋଜଗାର କରି ନିଜ ପରିବାରକୁ ଅତି ହସ ଖୁସିରେ ଚଳାଇ ଆସୁଥିଲେ । ହେଲେ କିଛି ବର୍ଷ ତଳେ ତାଙ୍କୁ କାଶ ହୋଇଥିଲା । ଲମ୍ବା ସମୟ କାଶ ନଛାଡ଼ିବାରୁ ସେ ଡାକ୍ତରଙ୍କୁ ଦେଖାଇଥିଲେ । ତାଙ୍କ ଦୁଇଟି କିଡ୍‌ନୀ ନଷ୍ଟ ହୋଇ ଯାଇଛି ବୋଲି ଡାକ୍ତର କହିଥିଲେ । ତେବେ ସେହି ଦିନଠାରୁ ତାଙ୍କର ଚିକିତ୍ସା ପାଇଁ ଘରର ସବୁ ସର୍ବସ୍ୱାନ୍ତ ହୋଇଗଲା । ଘରେ ଯାହା ଥିଲା, ସବୁ ବିକି ଭାଙ୍ଗି ଚିକିତ୍ସା ସରିଲାଣି ହେଲେ ରୋଗ ଭଲ ହେଉନି । ସେପଟେ ଘର ମୂରବୀ ତଥା ଅଳିଅଳ ପୁଅକୁ ଏଭଳି ଅବସ୍ଥାରେ ଦେଖି ମାଆ ସ୍ଵର୍ଣ୍ଣଲତା ନାୟକଙ୍କ ହୃଦୟ ସବୁବେଳେ କାନ୍ଦୁଛି । ସେ କୌଣସି ମତେ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ତାଙ୍କର କିଡ୍‌ନୀ ସେ ପୁଅକୁ ଦେଇ ଜୀବନ ବଞ୍ଚାଇବା ପାଇଁ ଶେଷ ଉଦ୍ୟମ କରୁଛନ୍ତି । ହେଲେ ଟଙ୍କା ଅଭାବରୁ ତାହା ମଧ୍ୟ ସମ୍ଭବ ହୋଇ ପାରୁନାହିଁ । ସେହିପରି ଶଯ୍ୟାଶାୟୀ ଥିବା ପ୍ରଭୁ ପ୍ରକାଶ ନାୟକଙ୍କ ସ୍ତ୍ରୀ ଚନ୍ଦ୍ରମା ନାୟକ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ପ୍ରତ୍ୟହ ସ୍ୱାମୀକୁ ନିଜେ କାନ୍ଧରେ ବୋହି ଡାକ୍ତରଖାନା ନେବା, ଚିକିତ୍ସା କରାଇବା ସହ ଘର ଚଳାଇବାକୁ ରୋଜଗାର ମଧ୍ୟ କରୁଛନ୍ତି । ସେହିପରି ଆବଶ୍ୟକ ଔଷଧ ଯୋଗାଡ କରିବା ପାଇଁ ସେ ନିତି ଦିନ ସଂଘର୍ଷ କରୁଛନ୍ତି । ତେବେ ତାଙ୍କ ମାଆଙ୍କ କିଡ୍‌ନୀ ଲାଗି ପାରିବ ବୋଲି ଡାକ୍ତର କହିଥିବା ବେଳେ ବିଭିନ୍ନ ପରୀକ୍ଷା ବି ସରିଛି । ହେଲେ ଏଥିପାଇଁ ଆବଶ୍ୟକ ଥିବା ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ । ତେଣୁ ପୀଡ଼ିତଙ୍କ ମାଆ ଓ ସ୍ତ୍ରୀ ସରକାରୀ ସ୍ତରରେ ଓ ବିଭିନ୍ନ ସଙ୍ଗଠନମାନଙ୍କୁ ସାହାର୍ଯ୍ୟ ପାଇଁ ନେହୁରା ହୋଇଛନ୍ତି । ହେଲେ ବିଶେଷ କିଛି ଯୋଗାଡ ହୋଇପାରୁନାହିଁ । ତେଣୁ ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଯୋଗାଇ ଦେଲେ ପ୍ରଭୁ ପ୍ରକାଶଙ୍କ ଜୀବନ ବଞ୍ଚିଯିବ ବୋଲି କହିଛନ୍ତି ପୀଡିତଙ୍କ ସ୍ତ୍ରୀ ଚନ୍ଦ୍ରମା । ଜନ୍ମ ଦେଇଥିବା ମା’ ଏବେ ପୁଅକୁ କିଡ଼୍‌ନୀ ଦେବ । ମାଆର କିଡ଼୍‌ନୀରେ ପୁଅ ବଞ୍ଚିବ, ଜଗତ ଦେଖିବ । ପୁଅର ଜୀବନ ପାଇଁ ମା’ ସବୁ ଜଳାଂଜଳି ଦେଇପାରେ, ଏହାର ଉଦାହରଣ ସାଜିଛନ୍ତି ମା’ ସ୍ଵର୍ଣ୍ଣଲତା ।

Leave A Reply

Your email address will not be published.

14 − 11 =