ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ଛତ୍ରପୁରର କାଠପାଦ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଲୋକକଳା ଲୋକନୃତ୍ୟରେ ଅଗ୍ରଣୀ ଭୂମିକାରେ ସ୍ଥାନ ପାଇଥିବା କାଠପାଦ ନୃତ୍ୟକୁ ବିଶ୍ୱସ୍ତରରେ ପ୍ରସିଦ୍ଧ ଲାଭ କରିବା ନିମନ୍ତେ ଉଦ୍ୟକ୍ତାଙ୍କ ପ୍ରୟାସ ଆରମ୍ଭ ହୋଇଛି । ଲୋକକଳା କାଠପାଦ ନୃତ୍ୟରେ ବ୍ୟବହୃତ କାଠପାଦ ଏବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଇବ ବୋଲି ଜଣାଯାଇଛି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସୌଜନ୍ୟରେ ଲୋକ କଳା ଅଭିଲେଖାଗାରରେ ଗଞ୍ଜାମ ଛତ୍ରପୁରର କାଠପାଦକୁ ଏହି କରିଡ଼ରରେ ସାମିଲ କରାଇବାକୁ ଏକ ସ୍ମାରକପତ୍ର ଜରିଆରେ ଅନୁରୋଧ କରାଯାଇଛି । ଏକ ସ୍ମାରକପତ୍ର ସହ କାଠପାଦ ସହିତ ଜଡ଼ିତ ସମସ୍ତ ଦସ୍ତାବିଜ୍‌କୁ ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥଙ୍କ ପାଖରେ ପ୍ରଦାନ କରାଯାଇଛି । ଏହି କାଠପାଦ ନୃତ୍ୟ ଲୋକକଳାକୁ କେମିତି ବିଶ୍ଵସ୍ତରରେ ପ୍ରସିଦ୍ଧ କରାଯାଇପାରିବ ଏହି ଉପରେ ଆଲୋଚନା କରାଗଲା । ସଚିବ ଏହି କାଠପାଦକୁ ଦେଖି ବହୁତ୍ ଆନନ୍ଦିତ ହେଲେ ଓ ଆଗାମୀ ଦିନରେ ଏହି କାଠପାଦକୁ କିଭଳି ବିଶ୍ଵ ପ୍ରସିଦ୍ଧ କରାଇବାକୁ ହେବ ସେଥିପାଇଁ ପରାମର୍ଶ ପ୍ରଦାନ କରି ଉଦ୍ୟକ୍ତା ତଥା ପ୍ରତିନିଧିମଣ୍ଡଳୀଙ୍କୁ ଆଶୀର୍ବାଦ ପ୍ରଦାନ କଲେ । ଏହି ସାକ୍ଷାତ ବେଳେ ଗଞ୍ଜାମ କାଠପାଦ ଗୁରୁ ସମୀର କୁମାର ବେହେରା, ବିବିଧା ଫାଉଣ୍ଡେସନ ଫର୍ ଆର୍ଟ ଏଣ୍ଡ କଲଚରର ପ୍ରଶାନ୍ତ ପଟ୍ଟନାୟକ, ଲୋକକଳା ସୁହୃଦ ପରିବାର ବାଙ୍ଗାଲୋର ପ୍ରତିଷ୍ଠାତା ଓଁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁର ମାଟିର ଏହି କଳା ବହୁ ପୁରାତନ ହୋଇଥିବାରୁ ଏହି ଲୋକ କଳା କାଠପାଦ ସଙ୍ଗୀତ ନାଟକ ଏକାଡେମୀରେ ସ୍ଥାନ ପାଉଥିବାରୁ ଅନେକ ବୁଦ୍ଧିଜୀବୀ ଓ କଳାକାର ନିଜର ଖୁସିବ୍ୟକ୍ତ କରି ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କୁ ସାଧୁବାଦ ଜଣାଇ ଧନ୍ୟବାଦ୍ ଦେଇଛନ୍ତି ।

Leave A Reply

Your email address will not be published.