ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଶୂନ୍‌

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ବଲାଙ୍ଗିର ଜିଲ୍ଲାର ସବୁଠୁ ପଛୁଆ ବ୍ଲକ ଭାବରେ ଖପ୍ରାଖୋଲ ବ୍ଲକ ରହିଥିବା ବେଳେ ଏ ଅଂଚଳର ଲୋକ ସରଳ ଏବଂ ନିରୀହ ଓ ଏମାନେ ସାଧାରଣ ଜୀବନ ଶୈଳୀରେ ବସବାସ କରିଥାନ୍ତି । ଏହାର ସୁଯୋଗ ନେଇ କିଛି ଦୁର୍ନୀତଗ୍ରସ୍ତ ଅଫିସରଙ୍କ ଦ୍ୱାରା ସରକାରୀ ଟଙ୍କାର ଦୁରୁପଯୋଗ ହେବା ସହ ବାଟମାରଣ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । ପ୍ରଶାସନିକ ତଦନ୍ତ ସମୟରେ ଜିଲ୍ଲା ପ୍ରଶାସନକୁ ଭୂଆଁ ବୁଲାଇ ସରକାରୀ ଅର୍ଥ ଆତ୍ମସାତ ହେଉଥିଲେ ସୁଦ୍ଧା ଜନସାଧାରଣ ଟେର୍‌ ପାଉନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ମନରେଗା ଯୋଜନାରେ ଦାଦନ ପ୍ରବଣ ଖପ୍ରାଖୋଲର ଜୀବନ ଜୀବିକାକୁ ସୁଧାର ପାଇଁ ନୂତନ ଜିଲ୍ଲାପାଳ ଚଂଚଳ ରାଣା ଗୁରୁତ୍ୱପୁର୍ଣ ପଦକ୍ଷେପ ନେବା ସହ ବିଶେଷ ଧ୍ୟାନ ଦେଉଛନ୍ତି । ହେଲେ ଖପ୍ରାଖୋଲ ବ୍ଲକ ପ୍ରଶାସନକୁ ଜିଲ୍ଲପାଳଙ୍କ ପଦକ୍ଷେପକୁ ସମ୍ମାନ ନଥିବା ଅନୁମାନ କରାଯାଉଛି ।

ମନରେଗା ଯୋଜନାରେ କେଉଁଠି ଶ୍ରମିକଙ୍କ ପାଉଣା ହଡପ ହେଉଛି ତ ଆଉ କେଉଁଠି ବିନା କାମରେ ଲୁଟ୍‌ ହେଉଛି ଟଙ୍କା । ଏସବୁ ଜାଣି ସୁଦ୍ଧା ବ୍ଲକ ପ୍ରଶାସନ ଦୁର୍ନିତୀଗ୍ରସ୍ତଙ୍କୁ ଘଂଟ ଘୋଡାଇ ଦୁର୍ନୀତିକୁ ପ୍ରଶୟ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି ।

ସୁଚନାଯୋଗ୍ୟ ଯେ, କିଛି ଦିନ ଆଗରୁ ପଡିଆବାହାଲ ପଂଚାୟତରେ ଫାର୍ମ ପଣ୍ଡ ଯୋଜନାରେ କଏଁରୁ ପନିକା ନାମକ ଜଣେ ହିତାଧିକାରୀ ସାମିଲ ହୋଇଥିଲେ ସୁଦ୍ଧା ଜିଆରଏସ ନୀଲମଣି ଜାଲଙ୍କ ଦ୍ୱାରା କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କୁ ସୁହାଇଲା ଭଳି ବ୍ୟବସ୍ଥା କରି ଅନ୍ୟତ୍ର କାମ ହୋଇ ଅର୍ଥ ହରିଲୁଟ ହୋଇଥିଲା । ଏ ବିଷୟରେ ଖପ୍ରାଖୋଲ ବିଡିଓ ତରଣୀ ସୁନା ଭୁଲକୁ ସ୍ୱୀକାର ମଧ୍ୟ କରିଥିଲେ । ହେଲେ ତଦନ୍ତ ରିପୋର୍ଟ ଦେବା ସମୟରେ ଜିଆରଏସଙ୍କ ପାଇଁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ଜିଲ୍ଲା ପ୍ରଶାସନକୁ ଫାଙ୍କି ଦେଇଥିଲେ ବୋଲି କୁହାଯାଉଛି । ପୁଣି ଖପ୍ରାଖୋଲ ପଂଚାୟତ ଗୁଣ୍ଡୁରୁପାଲି-ଚାଉଲବାଂଜି ରାସ୍ତାରେ ବୃକ୍ଷରୋପଣ ପାଇଁ ଦୁଇ ଦୁଇ ଥର ଟଙ୍କା ଉଠାଣ ହୋଇ ସାରିଥିବା ବେଳେ ବୃକ୍ଷରୋପଣ ନ ହୋଇ ନାମକୁ ମାତ୍ର ଗଛଲଗା ଆଳରେ ଟଙ୍କା ଆତ୍ମସାତ କରାଯାଇଥିବା ଆଲୋଚନା ହେଉଛି । ଏଠାରେ ମଧ୍ୟ ଜିଆରଏସ ଦୁର୍ଯୋଧନ ଦଣ୍ଡସେନାଙ୍କ ସହ ବ୍ଲକ ପ୍ରଶାସନ ମିଶି ଦୁର୍ନୀତ କରିଥିବା କୁହାଯାଉଛି ।

ସେହିଭଳି ୨୦୨୦-୨୧ ବର୍ଷରେ ମନରେଗା ଯୋଜନାରେ ଖପ୍ରାଖୋଲ କେଜିଭିପି ସ୍କୁଲ ପରିସରରେ ବୃକ୍ଷରୋପଣ ନକରି ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଖବର ପ୍ରସାରଣ ପରେ ବର୍ତ୍ତମାନ ସେଠାରେ ରାତିଅଧିଆ ଗଛ ଲଗାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଗରିବଙ୍କ ପାଇଁ ଉଦ୍ଧିଷ୍ଟ ଆବାସ ଯୋଜନାରେ ଗରିବ ହିତାଧିକାରୀ ବଂଚିତ ହୋଇଥିବା ବେଳେ ଭାଲୁଡୁଙ୍ଗୁରୀ ଗ୍ରାମରେ ଜଣେ ନେତାଙ୍କୁ ବ୍ଲକ ପ୍ରଶାସନର ଅହେତୁକ ଅନୁକମ୍ପା ଦେଖାଇ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଘର ପ୍ରଦାନ କରାଯାଇଥିଲା । ସେହି ଘଟଣାକୁ ଚାପି ଦେଇ ସାମିଲ ଥିବା ଅଧିକାରୀଙ୍କ ବିରୁଦ୍ଧରେ କୌଣସି ବିଭାଗୀୟ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ସୂଚନା ମିଳିଛି । ସେହିଭଳି କିଛିଦିନ ଆଗରୁ ଟଙ୍କପାଣି ପଂଚାୟତର ଜିଓଟେଗଙ୍କ ବିରୁଦ୍ଧରେ ଦୁର୍ନୀତିର ତଦନ୍ତ କରିବାକୁ ଯାଇ ଖପ୍ରାଖୋଲ ବିଡିଓ ଗ୍ରାମବାସୀଙ୍କ ଆକୋଶର ଶିକାର ହୋଇଥିଲେ ଏବଂ କିଛି ସମୟ ଧରି ବିଡିଓଙ୍କୁ ଗ୍ରାମବାସୀ ଅଟକ ମଧ୍ୟ ରଖିଥିଲେ । ସେଠାରେ ବିଡିଓ କାର୍ଯ୍ୟନୁଷ୍ଠାନ ପାଇଁ ମୌଖିକ ପ୍ରତିଶ୍ରୁତି ଦେଇ ଚାଲି ଆସିଥିଲେ । ହେଲେ ସେହି ତଦନ୍ତ ଏବଂ କାର୍ଯ୍ୟନୁଷ୍ଠାନ ମଧ୍ୟ ଚାପି ହୋଇ ରହି ଯାଇଥିଲା । ଏଭଳି ଅନେକ ଗୁରୁତର ଅର୍ଥ ଆତ୍ମସାତ ଏବଂ କର୍ତ୍ତବ୍ୟରେ ଅବହେଳାର ଅଭିଯୋଗ ଥିଲେ ସୁଦ୍ଧା କାର୍ଯ୍ୟନୁଷ୍ଠାନ ସବୁବେଳେ ଶୂନ୍‌ । ତେବେ ଏ ଉପରେ ନୂତନ ଜିଲ୍ଲାପାଳଙ୍କ ଦୁର୍ନୀତିମୁକ୍ତ ଆଗାମୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ସରକାରୀ ଟଙ୍କାର ସଦୁପଯୋଗ ହେବା ସହ ସରକାରଙ୍କ ଯୋଜନାର ସଫଳ ରୂପାୟନ ହେବ ବୋଲି ଆଶା ବାନ୍ଧିଛନ୍ତି ବ୍ଲକର ହଜାର ହଜାର ଜନସାଧାରଣ ।

Leave A Reply

Your email address will not be published.