csstore

ବିଦ୍ୟାଳୟରେ ଅଧିକ ଇଂରାଜୀ ପ୍ରୟୋଗ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ: (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ସରକାରୀ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ଉଚ୍ଚ ବିଦ୍ୟାଳୟ ସଭା କକ୍ଷରେ ପ୍ରଧାନ ଶିକ୍ଷକ, ବିଜ୍ଞାନ, ଇଂରାଜୀ ଶିକ୍ଷକ ଓ ଶିକ୍ଷା ସଂଯୋଜକମାନଙ୍କ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି । ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କିପରି ହାଇସ୍କୁଲ ପିଲା ଅଧିକରୁ ଅଧିକ ଇଂରାଜୀ ଶବ୍ଦ ସହ ଯୋଡି ହେବେ, ଯାହା ଦ୍ଵାରା କଲେଜ ସମୟରେ ସେମାନଙ୍କୁ ସୁବିଧା ହେବ ଏହି ସନ୍ଦର୍ଭରେ ବିସ୍ତୃତ ଆଲୋଚନା ହୋଇଥିଲା । ତତ୍‌ସହିତ ବିଜ୍ଞାନ ଶିକ୍ଷାଦାନରେ ଯେପରି ପ୍ରକଳ୍ପ ଅଧିକରୁ ଅଧିକ ଯୋଡି ହେବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ, ଗଞ୍ଜାମ ଜିଲ୍ଲା ଚିଠି ସଂଖ୍ୟା ୩୬୫୩ /୧୭-୩-୨୦୨୨କୁ ତର୍ଜମା କରି ପ୍ରତ୍ୟେକ ସ୍କୁଲକୁ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା । ଏହି ଦୁଇଟି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ସଭିଙ୍କ ସହମତିରେ ମେଲ୍ଟ ଏବଂ ଷ୍ଟେପ ନାମକ ଦୁଇଟି କାର୍ଯ୍ୟକ୍ରମ ଆସନ୍ତା ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ସ୍ତରରେ ଲାଗୁ କରିବା ପାଇଁ ସହମତି ପ୍ରକାଶ ପାଇଥିଲା । ଏହି ଆୟୋଜନରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସିପାଲ ପ୍ରମୋଦ କୁମାର ଓଝା, ଆବାସିକ ବିଦ୍ୟାଳୟ ହୁମ୍ମାର ପ୍ରଧାନ ଶିକ୍ଷକ ଅଶୋକ ପାଢ଼ୀ, ସୂର୍ଯ୍ୟ ନାରାୟଣ ଦାସ, ସନ୍ତୋଷ କୁମାର ଦଳବେହେରା, ରବୀନ୍ଦ୍ର ନାଥ ନେପାକ, ରାମ ପଲେଇ, ଚିନୁ ବେହେରା ପ୍ରମୁଖ ଶିକ୍ଷାବିତ ନିଜ ନିଜର ବିଦ୍ୟାର୍ଥୀ ସହାୟକ ମନ୍ତବ୍ୟ ରଖିଥିଲେ ।ଏହି ଆୟୋଜନର ଆବାହକ ବ୍ଲକ ସଂଯୋଜକ ତଥା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିଜୟ ବେହେରା, ପ୍ରଫୁଲ୍ଲ କୁମାର ମନ୍ତ୍ରୀ, ରୋହିତ କୁମାର ଦାସ, ଦାମୋଦର ପଣ୍ଡା, ରବି ସେଠୀ ସଫଳତାର ସହ ଆୟୋଜନ କରିଥିବା ବେଳେ ସମସ୍ତ କ୍ଲଷ୍ଟର୍ ସଂଯୋଜକ ଗଣ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.