jayashree

ମୁଁ କାହିଁକି ବୈଜ୍ଞାନିକ ହେବି କର୍ମଶାଳା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମୁଁ କାହିଁକି ବୈଜ୍ଞାନିକ ହେବି, ଏହି ସମ୍ପର୍କରେ ଏକ କର୍ମଶାଳା ଏସ୍‌ଏସ୍‌ଆର୍‌ଭିଏମ୍ ପରିଚାଳିତ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂଲିଶ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତିଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ସ୍ଥିତ ପ୍ରତିରକ୍ଷା କେନ୍ଦ୍ରର ବୈଜ୍ଞାନିକ ଡ. ରତ୍ନାକର ଏସ୍‌ ମହାପାତ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ବିଜ୍ଞାନ କଣ ଓ କାହିଁକି ଜାଣିବା ହେଉଛି ବିଜ୍ଞାନ । କୌଣସି ବିଷୟରେ ଜାଣିବା ଓ କାହିଁକିର କାରଣ ଖୋଜିବା, ତଥା କେମେଷ୍ଟ୍ରୀ, ଫିଜିକ୍ସ ଓ ଗଣିତ ବ୍ୟବହାର କରି ସଠିକ ଲକ୍ଷ୍ୟ ନିରୂପଣ କରିବା ହିଁ ବିଜ୍ଞାନ । ଏହାସହ ମିସାଇଲ ବ୍ୟକ୍ତି ପ୍ରାକ୍ତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ଓଡିଶା ସହ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ବୈଜ୍ଞାନିକ ହେବାକୁ ହେଲେ ସେ ଛାତ୍ର ସମାଜକୁ ସ୍ୱପ୍ନ ଦେଖିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିସହ ଚେଷ୍ଟା ନକରିବା ବିଫଳତାର ପ୍ରଥମ ପାହାଚ ସହ ନିରନ୍ତର ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଡ. ମହାପାତ୍ର ଦେଇଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ସୁପ୍ରିୟା ବରୁଆଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ନିର୍ଦ୍ଦେଶକ ଡ. ଗିରିଜା ଶଙ୍କର ଦାସ ଓ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷୟିତ୍ରୀ ସୁସ୍ରିତା ପଟ୍ଟନାୟକ, ଶିବାନୀ ବହିଦାର, ମଧୁମିତା ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.