ଭୁବନେଶ୍ୱର, (ପିଆଇବି) : ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର ଆନୁକୂଲ୍ୟରେ ‘ଜାତୀୟ ଶିକ୍ଷାନୀତି ୨୦୨୦’ କାର୍ଯ୍ୟକାରିତା ନେଇ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବା କଟକର ରାଧାନାଥ ଟ୍ରେନିଂ କଲେଜ, ଭୁବନେଶ୍ୱରର ନଳିନୀ ଦେବୀ ମହିଳା ମହାବିଦ୍ୟାଳୟ, ଅନୁଗୁଳ ଓ କନ୍ଧମାଳ ର ଶିକ୍ଷା ପ୍ରଶିକ୍ଷଣ ମହାବିଦ୍ୟାଳୟ ଏଥିରେ ଅଂଶ ଗ୍ରହଣ କରି ଅଗ୍ରାଧିକାର ଭିତ୍ତିରେ ବିଦ୍ୟାଳୟ ଶିକ୍ଷା ଓ ଶିକ୍ଷକ ପ୍ରଶିକ୍ଷଣରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରିତା କରିବା ଦିଗରେ ମତବ୍ୟକ୍ତ କରିଥିଲେ । ଏହି କର୍ମଶାଳାକୁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଉଦଘାଟନ କରି ଶିକ୍ଷା , ଶିକ୍ଷକ, ଶିକ୍ଷକ ତାଲିମର ମାନ ବୃଦ୍ଧି ଦିଗରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଏନ୍ସିଇଆର୍ଟିର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ହୃଷୀକେଶ ସେନାପତି ଶିକ୍ଷା ସଂପର୍କିତ ଗବେଷଣାର ସକ୍ରିୟତା ଓ ସ୍ନାତକୋତ୍ତର ସ୍ତରରେ ଏହାର ଗବେଷଣା ପ୍ରକଳ୍ପର ମାନ ବୃଦ୍ଧି ନେଇ ମତ ଦେଇଥିଲେ । ପ୍ରତିଷ୍ଠାନର ଶିକ୍ଷା ବିଭାଗ ମୁଖ୍ୟ ତଥା ଏମଓୟୁ ସମିତିର ଆବାହକ ପ୍ରଫେସର ଲକ୍ଷ୍ମୀଧର ବେହେରା ସ୍ୱାଗତ ଭାଷଣ ପ୍ରଦାନ ସହ ଏହି କର୍ମଶାଳାର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଗାୟତ୍ରୀ ମହାନ୍ତି, ପ୍ରଫେସର ନିବେଦିତା ଗୁରୁ, ଡକ୍ଟର ଦ୍ରୌପଦୀ ପଟେଲ, ଡକ୍ଟର ଦୀପକ କୁମାର ମହାନ୍ତି, ପ୍ରଫେସର ରମାକାନ୍ତ ମହାଳିକ ଓ ଡକ୍ଟର କଳିଙ୍ଗ କେତକି, ଡ. ବେଦପ୍ରକାଶ ବର୍ମା ପ୍ରମୁଖ ଶିକ୍ଷାବିତ୍ ଜାତୀୟ ଶିକ୍ଷାନୀତି ୨୦୨୦ର କାର୍ଯ୍ୟକାରିତା ଉପରେ ନିଜ ନିଜ ମତ ରଖିଥିଲେ ।
Next Post