
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଦୀର୍ଘ ୧୩ ବର୍ଷ ଧରି ୨୦୧୬ରୁ ବନ୍ଦ ରହିଥିବା ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିଥିବା ଜଣାପଡ଼ିଛି । ଡୁଙ୍ଗୁରିପାଲିର ବୁଦ୍ଧିଜୀବୀ ତଥା ରାଜନୈତିକ ସଂଗଠନ ପକ୍ଷରୁ ଏନେଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରାଯିବା ସହ ବିଭିନ୍ନ ସମୟରେ ଦାବୀ କରାଯାଇଥିଲା । ଜିଲ୍ଲାପାଳ ଶ୍ରୀ ସାହୁ ଏହି ଅଞ୍ଚଳ ପାଇଁ ଆଲୋକ ବର୍ତ୍ତିକା ସାଜି ଏଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଥିବା ଯୋଗୁଁ ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି । ପ୍ରଥମେ ଜିଲ୍ଲାପାଳ ପହଞ୍ଚିବା ପରେ ଭବ୍ୟସମ୍ବର୍ଦ୍ଧନା ଦିଆଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଜିଲ୍ଲାପାଳଙ୍କ ସୂଚନା ମୁତାବକ ଏଣୁ ଏଣିକି ପ୍ରଥମ ପର୍ଯ୍ୟାୟରେ ପ୍ରତି ସପ୍ତାହରେ ଗୋଟେ ଦିନ ଏବଂ ପରେ ପରେ ଦୁଇଦିନ ହିସାବରେ ଏଠାରେ ଜନୈକ ଅତିରିକ୍ତ ତହସିଲଦାର ଅବସ୍ଥାପିତ ହୋଇ କାର୍ଯ୍ୟନିର୍ବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ଏହି ଅଞ୍ଚଳର ଲୋକେ ରାଜସ୍ୱ ସେବା ପାଇଁ ବିଭିନ୍ନ ସମୟରେ ହଇରାଣ ହେଉଥିବା ବେଳେ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ଡୁଙ୍ଗୁରିପାଲିବାସୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଜିଲ୍ଲାପାଳଙ୍କ ଏହି ନିଷ୍ପତି ଯୋଗୁଁ ଡୁଙ୍ଗୁରିପାଲି ଅଞ୍ଚଳବାସୀ ବେଶ ଖୁସି ଅଛନ୍ତି । ଏହି ଅବସରରେ ବିଡ଼ିଓ ସଞ୍ଜୀବ ସାହୁ, ସରପଞ୍ଚ ଚିତ୍ତରଞ୍ଜନ ମିଶ୍ର, ବିଜେପିର ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରୁଦ୍ର କିଶୋର ମହଲା, ନିତାଇ ପାଲଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।