jayashree

ଡିଗ୍ରୀ କଲେଜ କୁଶଙ୍ଗରେ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଅଭିଯାନର ଆହ୍ୱାନ କ୍ରମେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ “ନିଶାମୁକ୍ତ ଯୁବ- ବିକଶିତ ଭାରତ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ପିଢ଼ି ହେଉଛନ୍ତି ଦେଶର ଭବିଷ୍ୟତ, ସାମାଜିକ ଉନ୍ନତିର ଅନ୍ୟତମ ଉତ୍ସ । ଦେଶର ସମଗ୍ର ଯୁବ ସମାଜକୁ ନିଶା ଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ମହତ ପ୍ରସଙ୍ଗକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରା ଯାଇଥିଲା । ସ୍ଥାନୀୟ ହସପିଟାଲର ଆଶୁତୋଷ ଗଡ଼ନାୟକ ଏଥିରେ ଯୋଗ ଦେଇ ଶୃଙ୍ଖଳିତ ଜୀବନ ପାଇଁ ପାଠ, ଖେଳ, ଯୋଗ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଧ୍ୟାନ ଦେଇ ନିଶା ଠାରୁ ଯଥେଷ୍ଟ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଏହା ଶରୀର ପାଇଁ କ୍ଷତିର କାରଣ ହେବା ସହ ସମାଜ ପାଇଁ ଚିନ୍ତାର କାରଣ ହୋଇଥାଏ । ଡ. ଅଜିତ କୁମାର ଭୋଇ ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ନିଶାମୁକ୍ତ ଭାରତ ଗଠନରେ ଯୁବ ପିଢ଼ିଙ୍କ ଭୂମିକାକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ରୀମା ପୁରୋହିତ ଏବଂ ଆଶିଷ ସେଟ ଏହି ସଚେତନତା ବାର୍ତ୍ତାକୁ ସମସ୍ତେ ପାଳନ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ କୁଶଙ୍ଗ ହସ୍ପିଟାଲର ଅନିଲ ମହାଲିଙ୍ଗ ଓ ଡକ୍ଟର ତାଣ୍ଡିଙ୍କ ନେତୃତ୍ୱରେ ୨୨୧ ଜଣ ଛାତ୍ରଛାତ୍ରୀଙ୍କ ହିମୋଗ୍ଲୋବିନ ଏବଂ ସୁଗର ଟେଷ୍ଟ କରାଯାଇଥିଲା । ଏଥିସହିତ ଆବଶ୍ୟକ ଔଷଧ ମଧ୍ୟ ବଣ୍ଟନ କରାଯାଇଥିଲା । ଡକ୍ଟର ଲକ୍ଷ୍ମଣ ମେହେରଙ୍କ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.