jayashree

ଛତ୍ରପୁର ପିଲିବନ୍ଧ ପାର୍କରେ ସ୍ଥାନୀୟ ସଂଗଠନର ସହଯୋଗରେ ପୂର୍ଣ୍ଣାଙ୍ଗ ସଫେଇ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏଥିରୁ ବାଦ ପଡ଼ିନାହିଁ । ସହରଟି କିପରି ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ, ସେନେଇ ପ୍ରଶାସନ ତରଫରୁ ଦୁଇ ଦୁଇଟି ପାର୍କ ଯଥା ସପ୍ତାଶ୍ଚର୍ଯ୍ୟ ପାର୍କ ଓ ପିଲିବନ୍ଧ ପାର୍କ ନିର୍ମାଣ କରାଯାଇଛି । ଏହି ପାର୍କ କିପରି ପରିଷ୍କାର ପରିଚ୍ଛନ୍ନ ରହିବ ଓ ଲୋକଲୋଚନକୁ ଆସିବ ସେହି କଥା ଚିନ୍ତା କରି ଆଜି ଛତ୍ରପୁର ଏନ୍‌ଏସି ତରଫରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଛତ୍ରପୁର ଏସ୍‌.ଡ଼ି.ଜେ.ଏମ୍‌. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଏକ ସ୍ୱଚ୍ଛତା ଅଭିଯାନ ସ୍ଥାନୀୟ ପିଲିବନ୍ଧ ପାର୍କରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନ୍‌.ଏ.ସି. ତରଫରୁ ପରିମଳ ବିଶେଷଜ୍ଞ ସୁମିତ କୁମାର ବେହେରା, ପରିମଳ ଇନ୍ସପେକ୍ଟର ପ୍ରଭାକର ବେହେରା, ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ତଥା ସମାଜସେବୀ ଏସ୍‌. ରାମକୃଷ୍ଣ ରେଡ୍ଡୀ, ମନୋଜ ମିଶ୍ର, ଏସ୍‌. ରବି, ଛତ୍ରପୁର ଓକିଲ ସଂଘର ଉପ-ସଭାପତି ଚୈତନ୍ୟ ପ୍ରଧାନ, ଲସିତ ବେହେରା, ମାଧବ ସାସମଲ, ଅଭିଜିତ ଚୌଧୁରୀ, ସନ୍ତୋଷ ରେଡ୍ଡୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳିତ କରିଥିଲେ । ସର୍ବଶେଷରେ ଶ୍ରୀ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି ପାର୍କର ପୂର୍ବପରି ସର୍ବସାଧାରଣଙ୍କ ପାଇଁ କିପରି ଚାଲୁ ରହିବ ସେନେଇ ରୂପରେଖ ପ୍ରସ୍ତୁତ କରିଥିଲେ । ସୂଚନାଯୋଗ୍ୟ, ବ୍ରିଟିଶ ଅମଳର ଏହି ଐତିହାସିକ ପାର୍କଟି ସହର ମଝିରେ ଅବସ୍ଥିତ ଥିବାରୁ ଏହାର ନିଜର ଏକ ଅଲଗା ମହତ୍ତ୍ୱ ରହିଛି । ତେଣୁ ପିଲିବନ୍ଧ ପାର୍କକୁ ସର୍ବସାଧାରଣରେ ସଦବ୍ୟବହାରରେ ଲାଗିବା ପାଇଁ ବିଶେଷ କରି ବରିଷ୍ଠ ନାଗରିକଙ୍କ ଆମୋଦ ପ୍ରମୋଦରେ ସମୟ ବିତାଇବା ନିମନ୍ତେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି ।

Leave A Reply

Your email address will not be published.