ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ବ୍ଲକ ବାଗମୁଣ୍ଡା ଗ୍ରାମରେ ଆସନ୍ତା ୨୨ତାରିଖରୁ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ । ମହୋତ୍ସବରେ କଂସ ଭୂମିକାରେ ଲାଠୋର ମା’ ମଙ୍ଗଳା ନାଟ୍ୟକଲା ପରିଷଦର ସୁଶାନ୍ତ ମେହେର ଅଭିନୟ କରିବେ ଓ ମନ୍ତ୍ରୀ ଭାବରେ ହିମାଂଶୁ ମେହେର ଅଭିନୟ କରିବା ପାଇଁ ଧାର୍ଯ୍ୟ ହୋଇଛି । ଏଥିପାଇଁ ରବିବାର ବାଗମୁଣ୍ଡା ଧନୁଯାତ୍ରାର କଂସ ସୁଶାନ୍ତ ମେହେରଙ୍କୁ ଆୟୋଜକ କମିଟି ତରଫରୁ ବରଣ କରାଯାଇଛି । ଧନୁଯାତ୍ରା ମହୋତ୍ସବ ବାଗମୁଣ୍ଡା ସ୍କୁଲ ଖେଳ ପଡିଆରେ ମଥୁରାନଗରୀ ଓ ବିଜୁ ଏକ୍ସପ୍ରେସ ୱେ କଡ଼ ପୋଖରୀରେ ଗୋପପୁର ହେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଉଚ୍ଚ କୋଟିର ମୀନା ବଜାର, ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ । ଏହି ଧନୁଯାତ୍ରା ଆସନ୍ତା ୨୨ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି । ଯାତ୍ରା ସାତ ଦିନ ଧରି ଚାଲିବ । ଏହି ଧନୁଯାତ୍ରାରେ ସଭାପତି ଶାନ୍ତିଲାଲ ମଟାରୀ, ସମ୍ପାଦକ ଭୁବନ ସତନାମୀ, କୋଷାଧ୍ୟକ୍ଷ ମିଟୁ ମଟାରୀ, ସହ ସମ୍ପାଦକ ଦେଓଲାଲ ବାଗ, କୋଡ଼ିନେଟର ରିଖିରାମ ସତନାମୀ, କେଶବ ଦୁରିଆ ସମସ୍ତ ସଦସ୍ୟ ପଦ ପଦବୀରେ ରହିଥିବା ବେଳେ ଉପଦେଷ୍ଟା କମିଟିରେ ପଞ୍ଚାନନ ମଟାରୀ, ଓସରାମ ସାହୁ, ପ୍ରେମଲାଲ ସତନାମୀ, ଇନ୍ଦ୍ରଜିତ ସତନାମୀ, ଗଜିନ୍ଦ୍ର ମଟାରୀ, ଅନାଦି ବଢ଼େଇ, ରବିଶଙ୍କର ସାହୁ, ଲକ୍ଷ୍ମଣ ଦୁରିଆ ପ୍ରମୁଖ ରହିଛନ୍ତି । ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଧନୁଯାତ୍ରା ମହୋତ୍ସବ ବନ୍ଦ ରହିଥିବା ବେଳେ ଏହି ବର୍ଷ ଅନୁଷ୍ଠିତ ହେଉଥିବାରୁ ଅଞ୍ଚଳବାସୀ ବେଶ ଆନନ୍ଦିତ ଥିବା ଜଣାପଡିଛି ।