ଧାନ ଫସଲରେ ଅଜଣା ରୋଗ : କାମ ଦଉନି କୀଟନାଶକ, ଚିନ୍ତାରେ ଚାଷୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ୧୪ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଧାନ ଫସଲରେ ମାଡି ଚାଲିଛି ଅଜଣା ରୋଗ । କୃଷି ବିଭାଗ ଯେତେ ପ୍ରକାର ଔଷଧ ପକାଇବାକୁ ପରାମର୍ଶ ଦେଲେ ମଧ୍ୟ କୌଣସି ଗୋଟିଏ ବି କାମ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଆଖି ଆଗରେ ଫସଲ ଉଜୁଡି ଯାଉଥିବା ଦେଖି ଚାଷୀକୁଳ ଚିନ୍ତାରେ ପଡିଯାଇଛନ୍ତି । ଚଳିତ ବର୍ଷ ଭଲ ଫସଲ ହୋଇଥିବା ବେଳେ ଚାଷୀମାନେ ଆଗୁଆ ବିଲ କାମ ସାରିଥିଲେ, ଭଲ ଅମଲ ହେବ ବୋଲି ଆଶା ରଖିଥିଲେ । ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା, ଏବେ ରୋଗ ପୋକ ଯୋଗୁଁ ଧାନ ଫସଲ ସମ୍ପୂର୍ଣ ନଷ୍ଟ ହେବାକୁ ବସିଛି । ରୋଗ ପୋକ ଲାଗି ଧାନ ଗଛ ଗୁଡିକ ହଳଦିଆ ପଡି ପଚି ଯାଉଛି । ପ୍ରଥମେ ପ୍ରଥମେ କେବଳ ବୁଣା ଜମିରେ ଏହି ରୋଗ ପୋକ ଲାଗୁଥିଲା । ଏବେ ରୁଆ ଜମିକୁ ବ୍ୟାପିଲାଣି । ଯେତେ ପ୍ରକାର କୀଟନାଶକ ବ୍ୟବହାର କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଚାଷୀ ଅଭିଯୋଗ କରିଛନ୍ତି । ପ୍ରଥମେ କୁମିର, ଚଣ୍ଡୀଭଟା, ଲଉଡିଦରହାରେ ଏହି ରୋଗପୋକ ଦେଖିବାକୁ ମିଳିଥିଲା । ଏବେ ଝାରବନ୍ଧ ବ୍ଲକ ୧୪ଟି ପଞ୍ଚାୟତର ସମସ୍ତ ବିଭିନ୍ନ ଗ୍ରାମମାନଙ୍କୁ ବ୍ୟାପିଲାଣି । ଏନେଇ କିଛି ଚାଷୀ କୃଷି ବିଭାଗକୁ ଅବଗତ କରିବା ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଚାଷ ଜମି ବୁଲି ଦେଖିଥିଲେ । ପ୍ଲାନ୍ଟୋମାଇସିନ, ସାଫ ସିକ୍ସର, ହିସ୍କୋକୁନାଜଳ ଆଦି କୀଟନାଶକ ସିଞ୍ଚନ କରିଥିଲେ ମଧ୍ୟ କୌଣସି ଲାଭ ହେଉନି । ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । କୃଷି ବିଭାଗ ତୁରନ୍ତ ଏକ ବିଶେଷଜ୍ଞ ଦଳ ପଠାଇ ରୋଗ ନିରାକରଣ କରିବାକୁ ଚାଷୀମାନେ ଦାବୀ କରିଛନ୍ତି । ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ପ୍ରଣୟ ମନ୍ତ୍ରୀଙ୍କୁ ପଚାରିବାରୁ ସେ ଏହାକୁ ପତ୍ରପୋଡ଼ା ରୋଗ ବୋଲି କହିବା ସହ ଚାଷୀମାନେ ଆମ ପରାମର୍ଶ ନ ମାନି ଦୋକାନୀଙ୍କ କଥାରେ ଔଷଧ ସିଞ୍ଚନ କରୁଥିବା କହିଥିଲେ । ଏଥିପ୍ରତି କୃଷିବିଭାଗ ଦୃଷ୍ଟି ଦିଅନ୍ତୁ ।

Leave A Reply

Your email address will not be published.