jayashree

କଲମପୁରରେ ଡିଫାଇନ୍ କଳାହାଣ୍ଡିର ବିଶାଳ ସମାବେଶ

  • କଳମପୁର ମାଟି ସ୍ୱାଭିମାନ ଓ ବିପ୍ଳବର ମାଟି : ମଧୁ ମହାନ୍ତି

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଅଜସ୍ର ମା’ ଭଉଣୀ ଓ ଯୁବଗୋଷ୍ଠୀ କଳାହାଣ୍ଡି ବିକାଶର ସ୍ୱପ୍ନ ଦେଖିଥିବା ମୋ’ ନଜରରେ ଦେଖିବାକୁ ପାଇଛି । ୨୦ ବର୍ଷ ଆଗରୁ ମଧ୍ୟ କଳାହାଣ୍ଡି ବିକାଶ ମୋର ଏକମାତ୍ର ଲକ୍ଷ୍ୟ ରହିଥିଲା, ଆଜି ମଧ୍ୟ ମୋ’ କଳାହାଣ୍ଡିର ବିକାଶ ଏକମାତ୍ର ଲକ୍ଷ୍ୟ ରହିଛି । ଉଦ୍ଦେଶ୍ୟ ବିହୀନ ସେବା, ଉତ୍ସର୍ଗୀକୃତ ସେବା ହେଉଛି ମୋ ଲକ୍ଷ୍ୟ । ନିର୍ବାଚନ ସମୟରେ ନିଜର ବହୁମୂଲ୍ୟ ଭୋଟକୁ ପାଞ୍ଚ ଶହ ଟଙ୍କାରେ ବିକ୍ରି କରିବା ନାଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସମ୍ମାନର ସହ ପ୍ରଶ୍ନ ପଚାରିବା । ସେଥିପାଇଁ ‘ପାଞ୍ଚ ଦିନ ନାଁ ପାଞ୍ଚ ବର୍ଷ’ ତାହା ବାଛିନେବା ଆପଣଙ୍କ ହାତରେ ରହିଛି ବୋଲି ରବିବାର କଳମପୁର ମିନି ଷ୍ଟାଡିୟମଠାରେ ଆୟୋଜିତ ଡିଫାଇନ୍‌ କଳାହାଣ୍ଡିର ବିଶାଳ ସମାବେଶରେ ଯୋଗଦେଇ ଡିଫାଇନ୍‌ କଳାହାଣ୍ଡିର ମୁଖ୍ୟ ମଧୁ ମହାନ୍ତି ଏହି ଆହ୍ୱାନ ଦେଇଥିଲେ । କଲମପୁର ପହଞ୍ଚିବା ପରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ନିକଟରୁ ତାଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେଠାରୁ ଏକ ବିଶାଳ ସମାବେଶରେ ବାହାରି ମିନି ଷ୍ଟାଡିୟମର ସମାବେଶରେ ଯୋଗଦେଇ ଥିଲେ । ମଞ୍ଚ ନିକଟରେ ମହିଳାମାନେ ପୁଷ୍ପବୃଷ୍ଟି କରିବା ସହ ଭବ୍ୟ ସ୍ୱାଗତ ଜଣାଇଥିଲେ । ପ୍ରଥମେ ଜାତୀୟ ସଂଗୀତ ଗାନ କରି ଶ୍ରୀ ମହାନ୍ତି ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । କଲମପୁର ମାଟି ବିପ୍ଳବର ମାଟି, ଏହି ମାଟି କାହାକୁ ହାତପାତି ମାଗେନି, ଏହି ମାଟି ସ୍ୱାଭିମାନର ସହିତ ବଞ୍ଚିବା ଶିଖିଛି, କଳାହାଣ୍ଡି ମାଟି ମୋତେ ବହୁତ କିଛି ଦେଇଛି, ମୁଁ ନେବାକୁ ଆସି ନାହିଁ ଦେବାକୁ ଆସିଛି, ମା’ମାନଙ୍କ ହୁଲହୁଳି ଓ ଆଶ୍ରୀବାଦ ମୋ ଉପରେ ଅଛି, କେବେ ତାଙ୍କ ଏହି ଆଶ୍ରିବାଦକୁ ପାସେରି ଯାଇ ପାରିବି ନାହିଁ, ତା’ଙ୍କ ଋଣ ଶୁଝିବି ବୋଲି ମତବ୍ୟକ୍ତ କରିଥିଲେ । କଳାହାଣ୍ଡିର ଅନେକ ଯୁବକ ନିଶାରେ କବଳିତ, ତେଣୁ ସେମାନଙ୍କୁ ଶତପଥକୁ ଆଣିବା ମା’ମାନଙ୍କ କାମ, ଏହି ଦାୟିତ୍ୱ ମୁଁ ମା’ମାନଙ୍କୁ ଦେଉଛି । ମା’ମାନଙ୍କ ନିରାଶାକୁ ହଟାଇ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଆସିଛି । ରାଜନୀତି କରିବାକୁ ଆସିନି ସେବା କରିବାକୁ ଆସିଛି ବୋଲି କହିଥିଲେ । ରାଜନୀତି ମୋର ପେଶା ନୁହେଁ, ରାଜନୀତି ମୋ ପାଇଁ ସେବା, ରାଜନୀତି ମୋ ପାଇଁ ଧର୍ମ ରାଜନୀତି, ମୋ ପାଇଁ କର୍ମ ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅଞ୍ଚଳର ଏମ୍‌ଏଲ୍‌ଏ, ଏମ୍‌ପି ଜନସାଧାରଣଙ୍କ ଯେଉଁ କାର୍ଯ୍ୟ କରିପାରୁନାହାନ୍ତି ସେହି କାର୍ଯ୍ୟ କରିବାର ସତ ସାହସ ମୋର ଅଛି ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ । ଏହି ସମାବେଶର କୋକସରା, ଜୟପାଟଣା, ଥୁଆମୁଲ ରାମପୁର ସମେତ କଲମପୁର ବ୍ଳକର ବିଭିନ୍ନ ସ୍ଥାନରୁ ପ୍ରାୟ ଦଶ ହଜାର ମହିଳା ଓ ଯୁବଗୋଷ୍ଠୀ ସାମିଲ ହୋଇଥିଲେ । ଶେଷରେ ଡିଫାଇନ୍‌ କଳାହାଣ୍ଡିର ସଂଯୋଜକ ଜୟନ୍ତ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.