jayashree

ତିନି କଳା କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ଚାଷୀ ସୁରକ୍ଷା ଅଭିଯାନର ସ୍ୱାଗତ

ବ୍ରହ୍ମପୁର, (କେପିଏନ୍‌ଏସ) : କେନ୍ଦ୍ରର ବିଜେପି ସରକାର ଏକ ତରଫା ଭାବେ ଗତ ୨୦୨୦ ନଭେମ୍ବର ୨୬ ତାରିଖରେ ଲୋକସଭା ଓ ରାଜ୍ୟସଭାରେ ୩ କୃଷକ ବିରୋଧୀ କଳା ଆଇନକୁ ପ୍ରେରିତ କରିଥିଲେ । ଏହାର ପ୍ରତିବାଦ କରି ଏକ ବର୍ଷ ବ୍ୟାପି ଭାରତ ବର୍ଷର ହଜାର ହଜାର ଚାଷୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ଏହି ଆନ୍ଦୋଳନରେ ସାମିଲ ହୋଇ ବର୍ଷକ ମଧ୍ୟରେ ୭ ଶହରୁ ଊଦ୍ଧ୍ୱର୍ ଚାଷୀ ମୃତ୍ୟୁବରଣ କରିଛନ୍ତି । ଏହାସତ୍ତେ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଜର ଅହଂଭାବ ଏବଂ ଏକପାକ୍ଷିଆ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଦୃଢ଼ ଘୋଷଣା କରିଥିଲେ । କିନ୍ତୁ ଆଜି ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଂକାର ମୁଣ୍ଡ ନୁଆଁଇଲା ବୋଲି ଚାଷୀ ସୁରକ୍ଷା ଅଭିଯାନ ପକ୍ଷରୁ କୁହାଯିବା ସହ ଏହାକୁ ସ୍ୱାଗତ କରାଯାଇଛି । ଫଳରେ ଚାଷୀମାନଙ୍କ ବିଜୟ ଘଟିଛି । ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥଙ୍କ ଅଧ୍ୟକ୍ଷତାରେ ନବୀନ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଚାଷୀମାନଙ୍କ ବିଜୟକୁ ସ୍ୱାଗତ କରାଯିବା ସହ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଘଟିଛି ବୋଲି ଆବାହକ ଶ୍ରୀ ରଥ ପ୍ରକାଶ କରିବା ସହ ଆଗାମୀ ଲୋକସଭା ଅଧିବେଶନରେ ଏହାକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବୀ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ସୀମାଞ୍ଚଳ ନାହାକ, ସୁବାସ ଚନ୍ଦ୍ର ରାଉତ, ବୃନ୍ଦାବନ ବେହେରା, ପଦ୍‌୍ମଚରଣ ସାହୁ, ଧର୍ମ ପଢ଼ିହାରୀ, ବିଜୟ କୁମାର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋପାଳ କୃଷ୍ଣ ବିଷୋୟୀ, ଏମ୍‌.କ୍ରୀଷ୍ଣା ରେଡ଼ି, ରଘୁନାଥ ସାହୁ, ବଳରାମ ଜାନୀ, ମିହିର କୁମାର ରାଉତ, ଉଦୟ ନାଥ ପ୍ରଧାନ, ଗୋବିନ୍ଦ ପ୍ରଧାନ, ରମେଶ ପଲେଇ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ଚାଷୀଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ଘଟଣା ସତ୍ୟତା ନୁହେଁ, ବରଂ ନିର୍ବାଚନ ହାରିବା ଭୟରେ ଏହି କଳା ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.