jayashree

‘ନୂଆଖାଇ ଜୁହାର” ସୃଜନୀ ଅନ୍ତରାଷ୍ଟ୍ରୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ସୃଜନୀ ପରିବାର ଆନୁକୂଲ୍ୟରେ ‘ନୂଆଖାଇ ଜୁହାର’ ସୃଜନୀ ଅନ୍ତର୍ଜାତୀୟ ସଦ୍ଭାବନା ଓ ଲୋକସଂସ୍କୃତି ମହୋତ୍ସବ ଗତ ରବିବାର ସନ୍ଧ୍ୟାରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦେଶ ଓ ବିଦେଶର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଏଥିରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ‘ଲୋକକବି ରତ୍ନ’ ପଦ୍ମଶ୍ରୀ ଡ. ହଳଧର ନାଗ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଁଖାଇର ପରମ୍ପରା ଓ ମହତ୍ତ୍ୱ ଉପରେ ଆଲୋଚନା କରିବା ସହ ଲୋକଗୀତ ପରିବେଷଣ କରିଥିଲେ । ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ନୂଆଁଖାଇର ସାଂସ୍କୃତିକ ଓ ସାମାଜିକ ମୂଲ୍ୟବୋଧ ଏବଂ ବିଶ୍ୱସ୍ତରରେ ଏହାର ପ୍ରାସଙ୍ଗିକତା ଉପରେ ମତ ରଖିଥିଲେ । କାନାଡାର କୁଇନ୍ସ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପୋଷ୍ଟଡକ୍ଟୋରାଲ୍ ଗବେଷକ ପ୍ରଫେସର ଅର୍ଜୁନ ପୁରୋହିତ ବରେଣ୍ୟ ଅତିଥି ଭାବେ ଯୋଗଦେଇ ବିଦେଶରେ ନୂଆଁଖାଇର ଭାବନା ଓ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଥିଲେ । ଟରୋଣ୍ଟୋ( କାନାଡ଼ା) ସ୍ଥିତ  ପ୍ରଭୁ କନ୍ସଲଟିଙ୍ଗ ଇଣ୍ଟରନେସନାଲ୍‌ର ପ୍ରତିଷ୍ଠାତା  ପ୍ରଶାନ୍ତ ଭୂୟାଁ, ସାନ ଫ୍ରାନ୍ସିସ୍କୋରେ ଅବସ୍ଥାପନ କରୁଥିବା ପ୍ରବାସୀ ଓଡ଼ିଆ ଦେବବ୍ରତ ପଣ୍ଡା, ପ୍ରାକ୍ତନ ଭେଷଜ ବୈଜ୍ଞାନିକ ଚନ୍ଦ୍ରା ମିଶ୍ରଙ୍କ ସମେତ ବିଭିନ୍ନ ଦେଶର ସଂସ୍କୃତି ପ୍ରେମୀ, କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ଓ ଆବାହକ ବନବିହାରୀ ପଣ୍ଡା ପ୍ରମୁଖ ‘ଓଡ଼ିଆ ଜାତିର ପରିଚୟ—ଭାଷା, ସଂସ୍କୃତି ଓ ଗଣପର୍ବ’ ବିଷୟରେ ମତ ରଖିଥିଲେ । ସୃଜନୀର ମୁଖ୍ୟ ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର, ପ୍ରଫେସର ଡ. ଗୋଦାବରୀଶ ମିଶ୍ର, ଡ. ବାସନ୍ତୀ ମହାନ୍ତି, ଅଶୋକ ସାମନ୍ତ, ବିଘ୍ନେଶ୍ୱର ସାହୁ ଓ କୈବଲ୍ୟ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟୁତପ୍ରଭା ପଟ୍ଟନାୟକ, ଆନନ୍ଦିନୀ ମିଶ୍ର, ଝରଣା ପାଢ଼ୀଙ୍କ ସମେତ କଣ୍ଠଶିଳ୍ପୀଙ୍କ ସଙ୍ଗୀତ ପରିବେଷଣରେ ଉତ୍ସବ ସଙ୍ଗୀତମୟ ହୋଇଉଠିଥିଲା । ସୃଜନୀ ପରିବାରର ସମ୍ପାଦକ ଅଶୋକ ସାମନ୍ତ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.