ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ ଭାଗ୍ୟ ଝୁଲୁଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ୨୦୧୩ ମସିହା ସେପ୍ଟେମ୍ବର ୨୯ ତାରିଖରେ ଭଙ୍ଗ ହୋଇଥିବା ସମ୍ବଲପୁର ପୌର ପରିଷଦ ଓ ପରବର୍ତ୍ତୀ ସମୟରେ ମହାନଗର ନିଗମରେ ପରିଣତ ହେବା ପରେ ମଧ୍ୟ ଦୀର୍ଘ ସାତ ବର୍ଷ ପରେ ବିନା ଲୋକ ପ୍ରତିନିଧିରେ ଚାଲିଛି । ଅମଲ।ତନ୍ତ୍ର ଅଧୀନରେ ଦୁଇ ଲକ୍ଷ ସତୁରି ହଜାର ଲୋକଙ୍କ ଭାଗ୍ୟ ଝୁଲୁଛି । ସ୍ଥାନ ସଂରଣକ୍ଷକୁ ନେଇ ଆଇନଗତ ଅସୁବିଧା ଯୋଗୁ ନିର୍ବାଚନ ସ୍ଥଗିତ ରହିଛି । ଏହି ଆଇନଗତ ଅସୁବିଧା ଦୂର କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉ ନାହାନ୍ତି, ଏହା ଶାସକ ଦଳକୁ ସୁହାଉ ଥିବା ବେଳେ ବିରୋଧୀ ବି ଅନ୍ୟାନ୍ୟ ପ୍ରସଙ୍ଗରେ ଘନ ଘନ ଆନ୍ଦୋଳନ କରୁଛି । ମାତ୍ର ଏ ସମ୍ପର୍କରେ ସମ୍ପୂର୍ଣ୍ଣ ନିରବ କାହିଁକି ରହିଛି, ବୁଝା ପଡୁନାହିଁ । କଂଗ୍ରେସ ଦଳ କଥା ନ କହିବା ଭଲ ।

ମିଳିଥିବା ସୂଚନା ଅନୁଯାୟୀ, ବୁର୍ଲାର ଜଣେ ଅବସର ଗ୍ରହଣ କରିଥିବା ଅଜିତ କୁମାର ମହାନ୍ତି ହାଇକୋର୍ଟରେ ଅଭିଯୋଗ କରିଥିଲେ ଯେ ବୁର୍ଲାରେ ସାଧାରଣ ବର୍ଗର ଜନସାଧାରଣଙ୍କ ସଂଖ୍ୟ ସର୍ବାଧିକ ଥିବା ବେଳେ ଏହାର ସମସ୍ତ ୱାର୍ଡ ଏସସି ଓ ଏସଟି ବର୍ଗଙ୍କ ପାଇଁ ସଂରକ୍ଷିତ, ଯାହାଦ୍ୱାରା ସାଧାରଣ ବର୍ଗ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ହେବେ । ଜଷ୍ଟିସ ବିଶ୍ୱନାଥ ରଥ ପରବର୍ତ୍ତୀ ଆଦେଶ ଯାଏ ନିର୍ବାଚନ ସ୍ଥଗିତ ରଖିବାକୁ ରାୟରେ ଆଦେଶ ଦେଇଥିଲେ । ଏହି ଆଇନଗତ ଜଟିଳତା ଏ ପର୍ୟ୍ୟନ୍ତ ଦୂର ହୋଇ ନାହିଁ କି କେବେ ଦୂର ହେବ, ତାର ଉତ୍ତର କାହା ପାଖରେ ନାହିଁ ।

Leave A Reply

Your email address will not be published.