
ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଆର୍ସିସି ଅନୁଷ୍ଠାନ ପରିସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ କବି ବିଷ୍ଣୁ ଶତପଥି ଉଭୟ ମହାପୁରୁଷଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀଙ୍କୁ ତାଙ୍କ ପଥ ଅନୁସରଣ କରି ନିଜକୁ ସୁନାଗରିକ ଭାବେ ଗଢ଼ିତୋଳିବା ଲାଗି ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡ଼. ଅସୀମ କୁମାର ଚକ୍ରବର୍ତ୍ତୀ, ସୋମନାଥ ସିଂହ, ଚିତ୍ତରଞ୍ଜନ ସ୍ୱାଇଁ ଓ ହିମାଂଶୁ ଶେଖର ପ୍ରହରାଜ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ସେବା, ମାନବିକତା, ଦେଶପ୍ରେମ ଓ ସମାଜ ପ୍ରତି ଦାୟିତ୍ୱବୋଧର ବାର୍ତ୍ତା ଦେଇଥିଲେ । ଅନୁଷ୍ଠାନର ଚେୟାରମ୍ୟାନ୍ ତଥା ମୁଖ୍ୟ ଆୟୋଜକ କବିଶ୍ରୀ ରାଜେନ୍ଦ୍ର ଦାସ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଜାତୀୟ ସ୍ତରରେ “ଓଡିଶା ରତ୍ନ ସମ୍ମାନ” ହାସଲ କରିଥିବା କବିଶ୍ରୀ ରାଜେନ୍ଦ୍ର ଦାସଙ୍କ ସଫଳତା ପାଇଁ ଉପସ୍ଥିତ ଅତିଥି, ଅଭିଭାବକ, ଛାତ୍ରଛାତ୍ରୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ନିଜ ବକ୍ତବ୍ୟରେ କବିଶ୍ରୀ ରାଜେନ୍ଦ୍ର ଦାସ ଆଗାମୀ ଦିନରେ ଓଡ଼ିଶା ଓ ମୟୂରଭଞ୍ଜର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଯୁବପିଢ଼ିଙ୍କ ଉନ୍ନତି ଓ ସାମାଜିକ ପ୍ରଗତି ପାଇଁ ଅଧିକ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ଥିବା କହିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ତଥା ଗଣିତ ଅଧ୍ୟାପକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା ।